ଓଡ଼ିଶାଲାଇଭ୍ ବ୍ୟୁରୋ

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର ଭାରତରେ ଆରମ୍ଭ କରିଛି ‘ବ୍ଲୁ’ ସବସ୍କ୍ରିପସନ ସେବା। ଟ୍ଵିଟର ବ୍ଲୁ ପ୍ରିମିୟମ ସେବାଗୁଡ଼ିକ ପାଇବା ପାଇଁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡ଼ିବ। ବୁଧବାର ଟ୍ଵିଟର କମ୍ପାନି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଟ୍ଵିଟର ବ୍ଲୁ ସବସ୍କ୍ରିପସନ ପାଇଁ ଭାରତୀୟ ୱେବ ୟୁଜର୍ସଙ୍କୁ ମାସିକ ୬୫୦ ଟଙ୍କା ଦେବାକୁ ହେବ। ଯେଉଁ ୱେବ ୟୁଜର୍ସ ଏହାର ବାର୍ଷିକ ସବସ୍କ୍ରିପସନ ନେବେ ସେମାନଙ୍କ ପାଇଁ ୬୮୦୦ ଟଙ୍କା ଶୁଳ୍କ କମ୍ପାନି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଟ୍ଵିଟର ଆକାଉଣ୍ଟ ୯୦ ଦିନରୁ ଅଧିକ ପୁରୁଣା ହୋଇଥିବା ସେମାନେ ଏହି ବ୍ଲୁ ସବସ୍କ୍ରିପସନ ପାଇଁ ଆବେଦନ କରିପାରିବେ।
ଟ୍ଵିଟର ବ୍ଲୁ ସବସ୍କ୍ରିପସନ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ମିଳିବ। ଏହି ଆକାଉଣ୍ଟରେ ବ୍ୟକ୍ତିଜଣକ ନିଜର ଟ୍ଵିଟକୁ ଏଡିଟ୍ କରିପରିବେ। ସେମାନଙ୍କ ଆକାଉଣ୍ଟରେ କମ ବିଜ୍ଞାପନ ଦେଖିବାକୁ ମିଳିବ। ସେମାନେ ଲେଖୁଥିବା ଟ୍ଵିଟର ମେସେଜର ଅକ୍ଷର ସଂଖ୍ୟା ୨୮୦ ରୁ ୪୦୦୦କୁ ବୃଦ୍ଧି ପାଇବ। ଏହାଛଡ଼ା ସେମାନେ ଅଧିକ ସମୟର ଭିଡିଓକୁ ସେୟାର ମଧ୍ୟ କରିପାରିବେ।
ଟ୍ଵିଟର କମ୍ପାନି ୨୦୨୨ ମସିହାରେ ବ୍ଲୁ ସବସ୍କ୍ରିପସନ ସେବା ଆରମ୍ଭ କରିଥିଲା। ଏଲନ ମସ୍କ ଟ୍ଵିଟର କମ୍ପାନି କିଣିବାର କିଛିଦିନ ପରେ ଏହି ପେଡ୍ ସବସ୍କ୍ରିପସନ ସେବା ଆଣିବାକୁ ଘୋଷଣା କରିଥିଲେ। ଭାରତ ପୂର୍ବରୁ ଆମେରିକା,ଇଂଲଣ୍ଡ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଜାପାନ ସମେତ ଅନ୍ୟ କେତେକ ଦେଶରେ ଏହା ଲଞ୍ଚ କରାଯାଇଛି।
Tags: #Twitter #BlueSubscription #Bluetik #TwitterUsers #ElonMusk #India



















