ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ହୋଇଛି ଦାନ ମାଝି ଘଟଣାର ପୁନରାବୃତ୍ତି। ସ୍ତ୍ରୀର ମୃତଦେହକୁ କାନ୍ଧରେ ପକାଇ ପ୍ରାୟ ୩୩ କିଲୋମିଟର ଚାଲିଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅମ୍ବାପଲ୍ଲୀ ଗାଁର ଇଡେ ସାମୁଲୁ।

ଅମ୍ବାପଲ୍ଲୀ ଗାଁର ଇଡେ ସାମୁଲୁ ଓ ତାଙ୍କ ପତ୍ନୀ ଏଡେଗୁରୁ ବିଶାଖାପାଟଣାକୁ କାମ କରିବାକୁ ଯାଇଥିଲେ। କିଛି ପୂର୍ବରୁ କୌଣସି ରୋଗରେ ପୀଡ଼ିତ ହୋଇଥିଲେ ଇଡେଙ୍କ ପତ୍ନୀ। ବିଶାଖାପାଟଣା ଜିଲ୍ଲାର ସାଙ୍ଗିଭାଲସା ସ୍ଥିତ ଅନିଲ ନିରୁକୋଣ୍ଡା ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏଡେ ଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଘରକୁ ନେଇଯିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ।

ଏହା ପରେ ଇଡେ ସାମୁଲୁ ଏକ ଅଟୋରେ ନିଜ ପତ୍ନୀଙ୍କୁ ବିଜୟନଗରମ ପର୍ଯ୍ୟନ୍ତ ଆଣୁଥିଲେ। କିନ୍ତୁ ଅଧାବାଟରେ ଇଡେ ଗୁରୁଙ୍କର ମୃତ୍ୟୁ ହୋଇଯାଇଥିବା ଜାଣି ଅଟୋ ଡ୍ରାଇଭର ସେମାନଙ୍କୁ ରାସ୍ତାକଡ଼ରେ ଛାଡ଼ି ଚାଲିଯାଇଥିଲା। ପତ୍ନୀଙ୍କ ମୃତଦେହକୁ ଗାଁକୁ ନେଇଯିବା ଲାଗି ଇଡେ ସାମୁଲୁ ସ୍ଥାନୀୟ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ତାଙ୍କୁ ସହାୟତା କରିନଥିଲେ।

ଶେଷରେ ଇଡେ ସାମୁଲୁ ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ପକାଇ କୋରାପୁଟ ଅଭିମୁଖେ ଚାଲି ଚାଲି ଆସୁଥିଲେ। ପ୍ରାୟ ୩୩ କିଲୋମିଟର ଯିବା ପରେ ବିଜୟନଗରମ ପୋଲିସ ଖବର ପାଇ ସାମୁଲୁଙ୍କ ପାଖରେ ପହଞ୍ଚି ଥିଲା। ପରେ ବିଜୟନଗରମ ପୋଲିସ ନିଜସ୍ଵ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସ କରି ସାମୁଲୁଙ୍କ ପତ୍ନୀଙ୍କ ମୃତଦେହ ତାଙ୍କ ଗାଁକୁ ପଠାଇଥିଲା। ବିଜୟନଗରମ ପୋଲିସର ଏହି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Tags: #Visakhapatnam #Koraput #IdeSamulu #DeadBody #WalkWithDeadBody

LEAVE A REPLY

Please enter your comment!
Please enter your name here