ଓଡ଼ିଶାଲାଇଭ୍ ବ୍ୟୁରୋ

ମଲାୟାଲମ ସିନେମାର ପ୍ରଥମ ମହିଳା ଅଭିନେତ୍ରୀ ତଥା ପ୍ରଥମ ଦଳିତ ଅଭିନେତ୍ରୀ ପିକେ ରୋଜିଙ୍କ ୧୨୦ ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ଗୁଗଲ ପକ୍ଷରୁ ଏକ ‘ଡୁଡଲ’ ସମର୍ପିତ କରାଯାଇଛି। ଏହି ‘ଡୁଡଲ’କୁ ଗୋଲାପ ଫୁଲ ଏବଂ ଚଳଚ୍ଚିତ୍ରର ରିଲ ଦ୍ଵାରା ସଜ୍ଜିତ କରାଯାଇଛି।

ଚଳଚ୍ଚିତ୍ରକୁ ବିରୋଧ କରି ପିକେ ରୋଜିଙ୍କ ଘର ଜାଳି ଦେଲେ ଲୋକେ

୧୯୦୩ ମସିହାରେ କେରଳର ତିରୁବନ୍ତପୁରମର ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପିକେ ରୋଜି। ପିଲାଟି ଦିନରୁ ତାଙ୍କଠାରେ ଦେଖିବାକୁ ମିଳିଥିଲା ଅଭିନୟ କରିବାର ନିଶା। ଯେଉଁ ସମୟରେ ଝିଅମାନଙ୍କୁ ଘରୁ ବାହାରିବାକୁ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ୁଥିଲା, ସେ ସମୟରେ ସେ ଅଭିନୟ କରିବାକୁ ସ୍ଵପ୍ନ ସଜେଇ ଥିଲେ।

୧୯୨୮ ମସିହାରେ ମଲାୟାଲମ ଚଳଚ୍ଚିତ୍ର ‘ଭିଗାଥାକୁମାରନ’ (ଦ ଲାଷ୍ଟ ଚାଇଲ୍ଡ)ରେ ରୋଜି ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦଳିତ ପରିବାରରୁ ଆସିଥିବା ପିକେ ରୋଜି ଏହି ଚଳଚ୍ଚିତ୍ରରେ ଏକ ଉଚ୍ଚ ଜାତିର ଝିଅ ଚରିତ୍ରରେ ଅଭିନୟ କରିଥିଲେ। ଏହାକୁ ନେଇ ରୋଜିଙ୍କୁ ଲୋକଙ୍କ ଆକ୍ରୋସର ସାମ୍ନା କରିବାକୁ ପଡ଼ିଥିଲା। ଏହି ଚଳଚ୍ଚିତ୍ରକୁ ଲୋକେ ବିରୋଧ କରିଥିଲେ।

କେବଳ ସେତିକି ନୁହେଁ ଏହି ଚଳଚ୍ଚିତ୍ରର ଏକ ଦୃଶ୍ୟରେ ନାୟିକାଙ୍କ ମୁଣ୍ଡରେ ଖୋସା ହୋଇଥିବା ଫୁଲକୁ ନାୟକ ଚମ୍ବନ କରିବାକୁ ନେଇ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଲୋକେ। ଏପରିକି ଉତ୍ତ୍ୟକ୍ତ ଲୋକେ ଅଭିନେତ୍ରୀ ରୋଜିଙ୍କ ଘର ଜାଳି ଦେଇଥିଲେ।

ଲୋକଙ୍କ ବିରୋଧ ଯୋଗୁଁ ରାଜ୍ୟ ଛାଡ଼ିବାକୁ ପଡ଼ିଲା

ପରିସ୍ଥିତି ଏପରି ହୋଇଥିଲା ଯେ, ଲୋକଙ୍କ ବିରୋଧ କାରଣରୁ ପି କେ ରୋଜିଙ୍କୁ ରାଜ୍ୟ ଛାଡ଼ିବାକୁ ପଡ଼ିଥିଲା। ରାତି ରାତି ଟ୍ରକରେ ଲୁଜି ସେ ନିଜ ରାଜ୍ୟ ଛାଡ଼ି ତାମିଲନାଡୁ ଚାଲିଯାଇଥିଲେ। ପରେ ସେ ସମ୍ପୃକ୍ତ ଟ୍ରକର ଡ୍ରାଇଭରଙ୍କୁ ବିବାହ କଲେ ଏବଂ ‘ରାଜମ୍ମା’ ଭାବେ ନିଜର ନୂଆ ପରିଚୟ ସୃଷ୍ଟି କରି ସେହିଠାରେ ରହିଲେ।

ସ୍ଵଳ୍ପ ସମୟର ଅଭିନୟ କ୍ୟାରିୟର ସେତ୍ତ୍ଵେ ପି କେ ରୋଜି ଅନେକ ବଡ଼ ବଡ଼ ସୀମା ଡେଇଁଥିଲେ। ଅଭିନୟକୁ ସେ ସମୟରେ ଲୋକେ ଭଲ ଦୃଷ୍ଟିରେ ଦେଖୁନଥିଲେ ମଧ୍ୟ ସେ ସାହସ କରିଥିଲେ ଅଭିନୟ କରିବାକୁ। ତାଙ୍କ ଅଭିନୟକୁ କେହି ମନେ ପକାନ୍ତୁ କି ନ ପକାନ୍ତୁ, କିନ୍ତୁ ପିକେ ରୋଜିଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।

Tags: #Entertainment #PKRosy #120Birth #Google #Doodle #FirstMalayalamActress

LEAVE A REPLY

Please enter your comment!
Please enter your name here