ଓଡ଼ିଶାଲାଇଭ୍ ବ୍ୟୁରୋ

ତୁର୍କୀ ଏବଂ ସିରିଆରେ ଗତ ୬ ତାରିଖରେ ମୃତ୍ୟୁର ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ଭୂମିକମ୍ପ। ଶନିବାର ଦିନ ମୃତ୍ୟୁ ସଂଖ୍ୟା ୨୬ ହଜାର ଟପି ଥିବାବେଳେ ଅନେକ ଜୀବନ ଏବେ ଭଙ୍ଗା କୋଠା ତଳେ ରହିଛି।

ପ୍ରଳୟଙ୍କରୀ ଭୂମିକମ୍ପର ତାଣ୍ଡବ ଉଜାଡ଼ି ଦେଲା ଅନେକ ହସଖୁସିର ସଂସାର। କେହି କିଛି ବିଝିବା ଆଗରୁ ମାଟିରେ ମିଶି ଗଲା ସବୁକିଛି। ଗତ ୬ ତାରିଖରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଜୀବନ ଏବେ ବି ଭଙ୍ଗା କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି।

ଚାରି ଆଡ଼େ ଏବେ କୁଢ଼ କୁଢ଼ ଶବ। ଶବ ପୋତିବାକୁ ଜାଗାର ଅଭାବ ଦେଖାଯାଇଛି। ତୁର୍କୀର ୧୦ଟି ସ୍ଥାନରେ ବିଶେଷ ଭାବେ କ୍ଷତି ହୋଇଛି। ଏଠାରେ ୧୦ ହଜାରରୁ ଅଧିକ କୋଠା ମାଟିରେ ମିଶି ଯାଇଥିବାବେଳେ ଏକ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି।

ଏହାରି ମଧ୍ୟରେ ଭୂମିକମ୍ପକୁ ନେଇ ମତ ରଖିଛନ୍ତି ବିଶେଷଜ୍ଞ। ଭୂମିକମ୍ପ ଯୋଗୁଁ ତୁର୍କୀରେ ଧରାସାୟୀ ହୋଇଥିବା କୋଠା ମଧ୍ୟରୁ ଅନେକ ନବ ନିର୍ମିତ ବୋଲି ବିଶେଷଜ୍ଞଙ୍କ ମତ। ଏହି କୋଠାଗୁଡ଼ିକୁ ୨୦୦୭ ମସିହା ପରେ ନିର୍ମାଣ କରାଯାଇଥିବା ସେମାନେ କହିଛନ୍ତି।

ବର୍ତ୍ତମାନ ତୁର୍କୀର ଉସମାନିଆରେ କୁଢ଼କୁଢ଼ ଶବ ପଡ଼ି ରହିଛି। ଶବ ପୋତିବାକୁ କବରସ୍ଥାନରେ ଜାଗାର ଅଭାବ ଦେଖାଦେଇଛି। ଅନ୍ୟ ପଟେ କିଛି ଶବ ଶଢ଼ିବା ଆରମ୍ଭ କରିଥିବା କୁହାଯାଉଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ ଶନିବାର ଦିନ ସିରିଆରର ଭୂମିକମ୍ପ ପ୍ରଭାବିତ ସହରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ସହାୟତା ପାଇଁ ପହଞ୍ଚିଛି ଭାରତ

ତୁର୍କୀ ଏବଂ ସିରିଆରେ ମୃତ୍ୟୁର ତାଣ୍ଡବ ପରେ ଅନେକ ଦେଶ ସହାୟତା କରିବାକୁ ପହଞ୍ଚିଛନ୍ତି। ଏହି କ୍ଷେତ୍ରରେ ପଛରେ ନାହିଁ ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରୀ ୟସ ଜୟଶଙ୍କର ମଧ୍ୟ ତୁର୍କୀର ଏହି ବିପଦରେ ଭାରତ ସହୟତା ଯୋଗାଉ ଥିବା ଘୋଷଣା କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କହିଛନ୍ତି ଭାରତ ତୁର୍କୀର ଏହି କଠିନ ପରିସ୍ଥିତିରେ ସେମାନଙ୍କୁ ସହୟତା ପାଇଁ ସେମାନଙ୍କ ସହ ଅଛନ୍ତି।

ତୁର୍କୀ-ସିରିଆ ପାଇଁ ସହାୟତା ଘୋଷଣା

ମୃତ୍ୟୁର ଏହି ତାଣ୍ଡବ ପରେ ତୁର୍କୀକୁ ୧.୭୮ ବିଲିୟନ ଡଲାରର ସହାୟତା ଦେବାକୁ ଘୋଷଣା କରିଛି ଓ୍ଵାର୍ଲ୍ଡ ବ୍ୟାଙ୍କ। ସେହପରି ତୁର୍କୀ ଏବଂ ସିରିଆର ସହାୟତା ପାଇଁ ୮୫ ମିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି ଆମେରିକା।

ତୁର୍କୀ ଏବଂ ସିରିଆରେ ଏବେ ଦେଖା ଦେଇଛି ହା ହା କାର। ମୃତ୍ୟୁ ମୁଖରୁ ଉଦ୍ଧାର ପାଇ ଅନେକ ଏବେ ଜୀବନ ମରଣ ସହ ସଂଘର୍ଷ ଜାରି ରଖିଛନ୍ତି। ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

Tags: #Turkey #Syria #Earthquake #Death #Deadbody

Comment