ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ଉତ୍ସବକୁ ନେଇ ହସଖୁସି ଚାଲିଥିବାବେଳେ ମାଡ଼ି ଆସିଲା ମୃତ୍ୟୁ। ବାଟବରଣୀ ଚାଲିଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଚଢ଼ିଯାଇଥିଲା ବରଯାତ୍ରୀଙ୍କ ଉପରେ। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ। ମୃତକମାନେ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ ଓ ଭାରତୀ ରେଡ୍ଡୀ।

ମଙ୍ଗଳବାର ଦିନ ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ବରଯାତ୍ରୀଙ୍କୁ ଧରି ବରପକ୍ଷ ପହଞ୍ଚି ଥିଲେ କନ୍ୟା ଘରେ। ବିବାହ ପୂର୍ବରୁ ଘଟିଗଲା ଅଘଟଣ। କନ୍ୟାଘର ଲୋକେ ବାଟବରଣୀ କରିବାକୁ ଯାଇଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ସେଠାରେ ଉପସ୍ଥିତି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱପ୍ନା, ସଞ୍ଜୁ ଏବଂ ଭାରତୀଙ୍କର ମୃତ୍ୟୁ ହୋଇଥିଲା। ସ୍ୱପ୍ନା ରେଡ୍ଡୀ, ସଞ୍ଜୁ ରେଡ୍ଡୀ ଓ ଭାରତୀ ରେଡ୍ଡୀ ବର ପକ୍ଷର ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Ganjam #Accident #Death #Gopalpur

Comment