ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ମହାଶିବରାତ୍ରି ଅବସରରେ କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରପୀଠରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। କୋଭିଡ ମହାମାରୀର ଦୁଇବର୍ଷ ପରେ ମନ୍ଦିରକୁ ଯାଇ ପୂଜା କରିବାକୁ ସୁଯୋଗ ମିଳିଥିବାରୁ ଆଜି ଗୁପ୍ତେଶ୍ୱରଙ୍କ ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। କେବଳ କୋରାପୁଟ ନୁହେଁ ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଆସି ଏଠାରେ ପହଞ୍ଚିଛନ୍ତି।

ଆଜି ଭୋରରୁ ବାବା ଗୁପ୍ତେଶ୍ୱରଙ୍କ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହେବା ପରେ ସହାଣମେଲା ଦର୍ଶନର ବ୍ୟବସ୍ଥା ହୋଇଥିଲା। ଧୂପଦୀପ, ନୈବେଦ୍ୟରେ ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା କରିଥିଲେ ଭକ୍ତ। ଭୋଗ ଲାଗି କରି ନିଜ ମନକଥା କହିଥିଲେ ପ୍ରଭୁ ଭୋଳାଶଙ୍କରଙ୍କୁ। ହରିବୋଲ, ହୁଳହୁଳିରେ କମ୍ପୁଛି ଗୁପ୍ତେଶ୍ୱରପୀଠ ପରିବେଶ। ଆଜି ରାତି ୧୨ଟାରେ ହରିହର ଭେଟ ଏବଂ ୧୨ଟା ୩୦ରେ ମହାଦୀପ ଉଠିବ।

ଅନ୍ୟପଟେ ଛତିଶଗଡ଼ରୁ ଶତାଧିକ ଭକ୍ତ  ଶବରୀ ନଦୀ ଉପରେ ଅସ୍ଥାୟୀ ବାଉଁଶ ପୋଲ ପାର କରି ଆସିଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Tags: #Shivaratri #Jagara #Devotees #ShivaTemple #Koraput #GuapteswarTemple

Comment