ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଏଣିକି ସ୍ୱଚ୍ଛ ହେବ ଗାଁ ପରିବେଶ। ସହରଗୁଡ଼ିକ ଭଳି ଏବେ ଗାଁରେ ମଧ୍ୟ ପହଞ୍ଚିବ ଅଳିଆ ଉଠା ଗାଡ଼ି। ଗାଁଗୁଡ଼ିକରେ ଘରୁ ଘରୁ ଅଳିଆ ଉଠାଇବାକୁ ଗାଡ଼ି ପହଞ୍ଚିବ। ଏଥିପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଆରମ୍ଭ ହୋଇଛି ପ୍ରୟାସ।

ବୋରିଗୁମ୍ମା ବ୍ଲକର କାମତା, କୁମୁଲି ଏବଂ ବୋଡ଼ିଗାଁ ପଞ୍ଚାୟତରେ ଏହି ସେବା ଆରମ୍ଭ ହୋଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରବିବାର ଦିନ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଧାୟକ କହିଥିଲେ ବଡ଼ ବଡ଼ ସହର ପରି ଉପାନ୍ତ ଅଞ୍ଚଳରେ ଏହି ସେବା ଆରମ୍ଭ ହେବା ଦ୍ୱାରା ଗାଁ ଗହଳି ସ୍ୱଚ୍ଛ ଓ ସୁନ୍ଦର ହେବ।

କାମତା, କୁମୁଲି ଏବଂ ବୋଡ଼ିଗାଁ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଅଳିଆ ଉଠା ଗାଡ଼ି ଚାଳନା ଦାୟିତ୍ଵରେ ରହିବେ। ଅଳିଆ ସଂଗ୍ରହ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକ ବ୍ୟାଟେରି ଚାଳିତ ବୋଲି ବ୍ଲକ ସହାକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ କହିଛନ୍ତି।

କାର୍ଯ୍ୟକ୍ରମରେ ବୋରିଗୁମ୍ମା ବିଡିଓ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ, ଜିଲ୍ଲା ପରିଷଦ ପିଙ୍କୁ ଶତପଥୀ, କାମତା ସରପଞ୍ଚ ବାସନ୍ତୀ ଜାନୀ, ମାଳତୀ ଜାନୀ, କୁମୁଲି ସରପଞ୍ଚ ପାର୍ବତୀ ଯାନୀ, ସମିତି ସଭ୍ୟ ପଦ୍ମିନୀ ଜାନୀ, ବୋଡ଼ିଗାଁ ସରପଞ୍ଚ କରୁଣା ବଡ଼ନାୟକ, ଗ୍ରାମବାସୀ ଯୋଗ ଦେଇଥିଲେ।

Tags: #Koraput #BorigumaBlock #CleaningVehicle #SafeiGadi #Garbage

Comment