ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ପଟେଲ ନଗର ୱାର୍ଡରୁ ପ୍ରଥମ ଥର କାଉନ୍‌ସିଲର ଭାବେ ନିର୍ବାଚିତ ହୋଇଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶୈଲୀ ଓବରଏ ଜିତିଲେ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ (ଏମସିଡି) ମେୟର ନିର୍ବାଚନ। ଦୀର୍ଘ ୧୫ ବର୍ଷ ଧରି ବିଜେପି କବ୍ଜାରେ ରହିଥିବା ଏମସିଡି ମେୟର ଆସନ ଜିତିବା ପରେ ଆପ୍‌କୁ ମିଳିଛି ବଡ଼ ସଫଳତା।

ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ମାତ ଦେଇ ୩୪ ଖଣ୍ଡ ଭୋଟ ବ୍ୟବଧାନରେ ମେୟର ଆସନ ଜିତିଛନ୍ତି ଶୈଲୀ ଓବରଏ। ଏବେ ଦୀର୍ଘ ୮୪ ଦିନର ଅପେକ୍ଷାର ଅନ୍ତ ଘଟିଛି। ମାତ୍ର ୩୮ ଦିନ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମେୟର ପଦବୀରେ ରହିପାରିବେ ଶୈଲୀ। ଆସନ୍ତା ଏପ୍ରିଲ ୧ ତାରିଖରେ ପୁନର୍ବାର ଏହି ପଦବୀ ଲାଗି ନିର୍ବାଚନ ହେବ।

ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ଶୈଲୀ ଓବରଏଙ୍କୁ ୧୫୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ମିଳିଥିଲା ୧୧୬ ଖଣ୍ଡ ଭୋଟ।

ଏମସିଡି ନିର୍ବାଚନ ଫଳାଫଳ ଗତ ୨୦୨୨ ମସିହା ଡିସେମ୍ବର ୭ ତାରିଖରେ ଘୋଷଣା କରାଯାଇଥିଲା। ଏହା ପରେ ମେୟର ପଦବୀ ପାଇଁ ଉଭୟ ବିଜେପି ଏବଂ ଆପ୍ ମଧ୍ୟରେ ଚାଲିଥିଲା ଲଢ଼େ। ତିନି ତିନି ପ୍ରୟାସ ପରେ ମଧ୍ୟ ହୋଇପାରି ନଥିଲା ମେୟାର ନିର୍ବାଚନ। ବୁଧବାର ଦିନ ଶେଷରେ ନିର୍ବାଚନ ହେଲା ଏବଂ ଆପକୁ ମିଳିଲା ବଡ଼ ସଫଳତା।

ଦିଲ୍ଲୀର ନୂଆ ମେୟର ଶୈଲୀ ଓବରଏ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ କାମ କରିଛନ୍ତି। ସେ ଭାରତୀୟ ବାଣିଜ୍ୟ ସଂଘର ଆଜୀବନ ସଦସ୍ୟ ଅଛନ୍ତି। ଇଗ୍ନୁର ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।

୨୦୧୩ ମସିହାରେ ଆମ ଆଦମୀ ପାର୍ଟିରେ କାର୍ମକର୍ତ୍ତା ଭାବେ ସାମିଲ ହୋଇଥିଲେ। ୨୦୨୦ ପର୍ଯ୍ୟନ୍ତ ସେ ଦଳର ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ପଦବୀରେ ରହିଥିଲେ।

Tags: #Delhi #MCDMayorElection #APP #BJP #ShailiOberoi

Comment