ଓଡ଼ିଶାଲାଇଭ୍ ବ୍ୟୁରୋ

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ମାଧୁରୀ ବଜାରଠାରେ।

ଆଜି ଦିନ ପ୍ରାୟ ଗୋଟାଏ ବେଳେ ମାଧୁରୀ ବଜାରରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳିଉଠିଥିଲା ମାଧୁରୀ ବଜାରରେ ଥିବା ଏକ ବାଣ ଗୋଦାମ। ଚାରିଆଡ଼ୁ ଶୁଭୁଥିଲା ଚିତ୍କାର। ବାଣ ଗୋଦାମରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ବାଣ ଗୋଦାମରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ଗୁରୁତର ହୋଇଥିବା ୩ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବାଣ ଗୋଦାମରେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ମଧ୍ୟରୁ ଜଣକର ଶରୀର ଗୋଦାମରୁ କିଛି ଦୂରରେ ଥିବା ପୋଖରି ମଧ୍ୟକୁ ଛିଟିକି ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Tags: #Cracker #ChackerGodownBlasting #Death #Jagatsingpur

Comment