ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଦହିବରା ଆଳୁଦମ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି। ଦହିବରା ଆଳୁଦମ୍ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍ର ସୁଆଦ ଟିକେ ନିଆରା। ଏଠାକାର ଲୋକ ଦହିବରା ଆଳୁଦମ୍ ଖାଇବାକୁ ଖୁବ ଭଲ ପାଆନ୍ତି। ଆଜି ଦହିବରା ଆଳୁଦମ୍ ଦିବସ ହୋଇଥିବାରୁ କଟକ-ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଦହିବରା ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଯେତେବେଳ ଦହିବରା ଆଳୁଦମ କଥା ମନକୁ ଆସେ ସେତେବେଳେ କଟକରେ ମିଳିଥିବା ସୁଆଦିଆ ଦହିବରା ଆଳୁଦମ୍ କଥା ମନେପଡ଼େ। ଏଠାରେ ଦହିବରା ଆଳୁଦମ୍ ପ୍ରସ୍ତୁତ କରୁଥିବା ବେପାରୀ ବିଭିନ୍ନ ସ୍ଥାନରେ ଷ୍ଟଲ ପକାଇ ବେଶ୍ ସଫଳତା ହାସଲ କରିଛନ୍ତି।
କେବଳ ଏତିକି ନୁହେଁ କଟକର ଗଳିକନ୍ଦିରେ ମିଳୁଥିବା ଦହିବରା ଆଳୁଦମ୍ ବେଶ ପ୍ରସିଦ୍ଧ। ଏମାନଙ୍କ ମଧ୍ୟରେ ରଘୁ ଦହିବରା ସବୁଠାରୁ ଆଗରେ। ସେହିପରି ବାରବାଟୀ ଷ୍ଟାଡିୟମର ରମେଶ ଦହିବରା, ଦୋଳମୁଣ୍ଡାଇର ହରିହର ଦହିବରା, ମଙ୍ଗଳାବାଗର ପ୍ରତାପ ଦହିବରା, ଅପର୍ଣ୍ଣାନଗରର ପ୍ରମୋଦ ଦହିବରା ଓ ଏସିସିବିର ରଙ୍କ ଦହିବରା ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଗହଳି ଲାଗେ।
ଭୁବନେଶ୍ଵରରେ ମଧ୍ୟ ଦହିବରା ଆଳୁଦମ୍ର ବେଶ ଚାହିଦା ରହିଛି। ରାଜଧାନୀ ଲୋକ ମଧ୍ୟ ଦହିବରା ଆଳୁଦମ୍କୁ ଖାଇବାକୁ ପସନ୍ଦ କରନ୍ତି। ଏଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଆଦିଆ ଦହିବରା ଆଳୁଦମ୍ ମିଳିଥାଏ। ଯିଏ ଥରେ ଦହିବରା ଆଳୁଦମର ମଜା ନେଇଛି, ସେ ବାରମ୍ବାର ଆକୁ ହିଁ ଖୋଜିଛି।
Tags: #DahibaraAludam #DahibaraAludamDivas #CuttackDahibara