ଓଡ଼ିଶାଲାଇଭ୍ ବ୍ୟୁରୋ

ବେଳେବେଳେ କିଛି ଗୀତ ଏବଂ ଚରିତ୍ର ଜଣେ ଅଭିନେତାଙ୍କୁ ରାତାରାତି ପରିଚିତ କରାଇଦିଏ। ଓଡ଼ିଆ ଆଲବମ ‘ଏ ଗଉରା…’ ସେଥି ମଧ୍ୟରୁ ଗୋଟିଏ। ଏହି ଆଲବମଟି ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ।

‘ଏ ଗଉରା…’ ଆଲବଲ ଅଭିନେତା ପିଣ୍ଟୁ ନନ୍ଦକୁ ଘରେ ଘରେ ପରିଚିତ କରିଥିଲା। ଏବେ ବି ‘ଏ  ଗଉରା…’ ଗୀତ ବାଜିରେ ପିଣ୍ଟୁ ନନ୍ଦଙ୍କର ସେଇ ଭୋଲା ଭାଲା ଚେହେରା ସହ ତାଙ୍କ ଅଭିନୟ ଆଖି ଆଗକୁ ଆସିଯାଏ। ଏହି ଆଲବମରେ ତାଙ୍କର ଅଭିନୟ ଥିଲା ପୁରା ନିଆରା। ଧଳା ଓ ନୀଳ ରଙ୍ଗର ଫୁଲପକା ନାଲିଆ ସାର୍ଟ ସାଙ୍ଗକୁ ଢ଼ିଲା ପ୍ୟାଣ୍ଟ ଏବଂ କାନ୍ଧରେ ଗାମୁଛା। କେବଳ ସେତିକି ନୁହେଁ ଆଲୁସାଲୁ ଚୁଟି ସାଙ୍ଗକୁ ବେକରେ ସୁତାରେ ବନ୍ଦା ହୋଇଥିବା ଡେଉଁରିଆ ଏବଂ ତାଙ୍କ ନିରିଆ ଚେହେରା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ‘ଏ ଗଉରା…’ ରାତାରାତି ପିଣ୍ଟୁ ନନ୍ଦଙ୍କୁ ପରିଚୟ ଦେଇଥିଲା।

ପିଣ୍ଟୁଙ୍କୁ ଦେଖି ଗୀତ ଲେଖା ହୋଇଥିଲା – ଶୁଭାଶିଷ ମହାକୁଡ଼

କେଉଁଠି ଗୀତକୁ ଦେଖି କଳାକାର ବଛା ହୋଇଥାନ୍ତି ତ ଆଉ କେଉଁଠି କଳାକାରଙ୍କୁ ଦେଖି ଗୀତ ଲେଖା ଯାଇଥାଏ। କିନ୍ତୁ ପିଣ୍ଟୁ ନନ୍ଦଙ୍କ ପାଇଁ ହିଁ ‘ଏ ଗଉରା…’ ଗୀତ ଲେଖାଯାଇଥିଲା। ଏହି ଗୀତରେ ଅଭିନୟ କରି ପିଣ୍ଟୁ ହିଁ ଏହାକୁ ସଫଳତାର ଶୀର୍ଷକୁ ନେଇ ଯାଇଥିଲେ। ଏହିଭଳି କହିଛନ୍ତି ଏହି ଗୀତଟିକୁ ଗାଇଥିବା ଲୋକ ପ୍ରିୟ କଣ୍ଠଶିଳ୍ପୀ ଶୁଭାଶିଷ ମହାକୁଡ଼।

ଷ୍ଟେଜ ସୋ’ର ଡିମାଣ୍ଡ ବଢ଼ିଲା

“ଏ ଗଉରା… ହିଟ୍ ହେବା ପରେ ପିଣ୍ଟୁ ନନ୍ଦଙ୍କ ଚାହିଦା ବଢ଼ି ଯାଇଥିଲା। ଷ୍ଟେଜ ସୋ’ର ଡିମାଣ୍ଡ ବଢ଼ିଲା। ପିଣ୍ଟୁଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି କରି ନେବାକୁ ଭିଡ଼ ଲାଗୁ ଥିଲା। ସେ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ‘ଏ ଗଉରା…’ରେ ଅଭିନୟ ନିଶ୍ଚୟ କରୁଥିଲେ। କେବଳ ସେତିକି ନୁହେଁ ପିଣ୍ଟୁ କାର୍ଯ୍ୟକ୍ରମକୁ ଯିବା ସମୟରେ ନିଜ ସାଙ୍ଗରେ ସମାନ କଷ୍ଟ୍ୟୁମ ନେଇ ଯାଉଥିଲେ”, କହିଛନ୍ତି ଶୁଭାଶିଷ ମହାକୁଡ଼।

ସେ କମେଡି ହେଉ କିମ୍ବା ଖଳ ଚରିତ୍ର, ମୁଖ୍ୟ ଚରିତ୍ର ହେଉ କି ପାର୍ଶ୍ଵ ଚରିତ୍ର, ସବୁଥିରେ ପିଣ୍ଟୁ ନନ୍ଦ କରୁଥିଲେ ନିଖୁଣ ଅଭିନୟ। ‘ଏ ଗଉରା..’ ଆଲବମ ପରେ ଗୋଟିଏ ପରେ ଗୋଟିଏ ଅଭିନୟ ପାଇଁ ଅଫର ଛୁଟି ଥିଲା ପିଣ୍ଟୁଙ୍କ ନିକଟକୁ।  ଅଭିନୟ ଦକ୍ଷତା ଯୋଗୁଁ ସବୁ ଚରିତ୍ରରେ ନିଜକୁ ଫିଟ କରିପାରୁଥିଲେ ସେ।

ପରଦାରେ ଆଉ ପିଣ୍ଟୁ ନନ୍ଦଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ, କିନ୍ତୁ ତାଙ୍କ ସ୍ମୃତି ସବୁଦିନ ପାଇଁ ଜୀବନ୍ତ ହୋଇ ରହିବ କଳା ପ୍ରେମୀଙ୍କ ହୃଦୟରେ।

Tags: #PintuNanda #AGouraAlbum #OdiaCinemaActor #Death #LiverCirrhosis #Treatment

LEAVE A REPLY

Please enter your comment!
Please enter your name here