ଓଡ଼ିଶାଲାଇଭ୍ ବ୍ୟୁରୋ

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବାବେଳେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍।

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ) ଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଚିନ୍ମୟୀ। ଉତ୍ସବ ପରେ କିଛି ବନ୍ଧୁଙ୍କ ସହ ଚିନ୍ମୟୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରୁ ବାହାରି ଥିଲେ। ଚିନ୍ମୟୀଙ୍କ ସାଙ୍ଗରେ ତାଙ୍କ ବନ୍ଧୁ ପ୍ରୀତିମାନ ଦେ ଏବଂ ଆଉ କିଛି ବନ୍ଧୁ ମଧ୍ୟ ଥିଲେ ବୋଲି କହିଛନ୍ତି ମୃତ ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ।

ମଙ୍ଗଳାର ସନ୍ଧ୍ୟା ସମୟରେ ଚିନ୍ମୟୀ ମା’ଙ୍କୁ ଫୋନ କରି କଥା ହୋଇଥିଲେ ଏବଂ ସେ ବୁର୍ଲାରୁ ଭୁବନେଶ୍ଵର ଯିବେ ବୋଲି କହିଥିଲେ। ସେହିଦିନ ରାତି ପ୍ରାୟ ସାଢ଼େ ୯ଟାରେ ଚିନ୍ମୟୀ ମା’ଙ୍କ ପାଖକୁ ଫୋନ କରିଥିଲେ। ଫୋନରେ ଚିନ୍ମୟୀଙ୍କ ସ୍ଵର ଠିକ୍ ଭାବେ ଶୁଭୁ ନଥିଲା। ସେ କୌଣସି ବିପଦରେ ଥିବା ଭଳି ତାଙ୍କ ମା’ ଅନୁଭବ କରିଥିଲେ। ଏହା ପରେ ବିଶ୍ଵବିଦ୍ୟାଳୟରୁ ଫୋନ ଆସିଥିଲା ଚିନ୍ମୟୀ ପାଓ୍ଵାର ଚ୍ୟାନେଲକୁ ଡେଇଁ ପଡ଼ିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ୧୨ ଘଣ୍ଟା ପରେ ବୁଧବାର ଦିନ ଚିନ୍ମୟୀଙ୍କ ମୃତ ଦେହ ଠାବ କରିଥିଲେ।

ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ନିଖୋଜ ହେବାର ୧୨ ଘଣ୍ଟା ପରେ ମିଳିଥିଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ ଦେହ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗୁରୁବାର ସନ୍ଧ୍ୟାରେ ଆସିଥିଲା ବ୍ୟବଚ୍ଛେଦ ରିପୋର୍ଟ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ରିପୋର୍ଟକୁ ଗ୍ରହଣ କରିବାକୁ ରାଜି ନୁହଁନ୍ତି ମୃତ ଚିନ୍ମୟୀଙ୍କ ପରିବାର। ସେମାନେ ସିଧାସଳଖ ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ବନ୍ଧୁ ପ୍ରୀତିମାନ ଦେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି। କେବଳ ପ୍ରୀତିମାନ ନୁହେଁ ତାଙ୍କ ସହ ଆଉ କିଛି ବ୍ୟକ୍ତିଙ୍କର ହାତ ରହିଥିବା ଚିନ୍ମୟୀଙ୍କ ପରିବାର ଲୋକ କହିଛନ୍ତି।

ମୃତ ଚିନ୍ମୟୀଙ୍କ ପାରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାରେ ପୋଲିସ ପ୍ରୀତିମାନ ଏବଂ ଅନ୍ୟ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଘଟଣାସ୍ଥଳରୁ ପ୍ରୀତିମାନଙ୍କ ବାଇକ୍ ଜବତ

ଘଟଣାସ୍ଥଳ ପର୍ଯ୍ୟନ୍ତ ପ୍ରୀତିମାନ ଯାଇନଥିବା ପୋଲିସ ଆଗରେ କହୁଥିବାବେଳେ ପ୍ରୀତିମାନଙ୍କ ବାଇକ୍ ଘଟଣାସ୍ଥଳରୁ ଜବତ କରିଛି ପୋଲିସ। ଏହା ସହ ଚିନ୍ମୟୀଙ୍କ ମୋବାଇଲ ମଧ୍ୟ ସେହିଠାରୁ ମିଳିଛି।

ମୃତକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି ଯଦି ପ୍ରୀତିମାନ ଘଟଣାସ୍ଥଳରେ ନଥିଲେ, ତେବେ ତାଙ୍କ ବାଇକ୍ ସେଠାକୁ କେମିତି ଗଲା? ପୋଲିସ ପ୍ରୀତିମାନଙ୍କୁ ପଚରାଉଚରା କରିବା ସମୟରେ ସେ ଭିନ୍ନ ବୟନ ଦେଇଛନ୍ତି।

ପ୍ରୀତିମାନ କହିଛନ୍ତି ଚିନ୍ମୟୀ ପାରିବାରିକ ଅଶାନ୍ତି ଯୋଗୁଁ କିଛି ଦିନ ହେଲା ମାନସିକ ଚିନ୍ତାରେ ରହୁଥିଲେ। ସେହି କାରଣରୁ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେ ପୋଲିସକୁ କହିଛନ୍ତି।

ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେଲା ଟିମ୍

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ଚିନ୍ମୟୀଙ୍କ ଭଉଣୀ କହିଛନ୍ତି ଚିନ୍ମୟୀଙ୍କ ବେକରେ ଅନେକ ଦାଗ ରହିବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ଦଦନ୍ତ ପାଇଁ ପରିବାର ପକ୍ଷରୁ ଦାବି ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରାଯାଇଥିବା ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ ଆଇଜି ଦୀପକ କୁମାର। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି।

ମେଧାବୀ ଛାତ୍ରୀ ଥିଲେ ଚିନ୍ମୟୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ)ର ଆଇଟି ବିଭାଗର ଛାତ୍ରୀ ଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ପିଲାଟି ଦିନରୁ ଭଲ ପାଠପଢ଼ୁଥିବା ଚିନ୍ମୟୀ ସିଭିଲ ସର୍ଭିସ କରିବାକୁ ଲକ୍ଷ୍ୟ ରଖିଥିଲେ। କଲେଜ କ୍ୟାମ୍ପସରେ ଏକ ପ୍ରତିଷ୍ଠିତ ଘରୋଇ କମ୍ପାନିରେ ଚାକିରି କରିବା ପାଇଁ ଚୟନ ହୋଇଥିଲେ ମଧ୍ୟ ସେ ଚାକିରିରେ ଯୋଗ ଦେଇନଥିଲେ। ଆଇଟି ଅଧ୍ୟୟନ ପରେ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିବାକୁ ଭୁବନେଶ୍ଵର ଆସିଥିଲେ। ସମାବର୍ତ୍ତାନ ଉତ୍ସବରୁ ସାର୍ଟିଫିକେଟ ନେଇ ଯାଉଥିବା ଚିନ୍ମୟୀ କହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।

ଚିନ୍ମୟୀ କାହିଁକି ପାଓ୍ଵାର ଚ୍ୟାନେଲ ନିକଟକୁ ଯାଇଥିଲେ ଏବଂ ଏମିତି କ’ଣ ହେଲା ଯେ ସେ ପାଓ୍ଵାର ଚ୍ୟାନେଲ ଡେଇଁ ପଡ଼ିଲେ? ଯଦି ସେଠାରେ ପ୍ରୀତିମାନ ଥିଲେ ତେବେ ଚିନ୍ମୟୀଙ୍କୁ ଅଟକାଇଲେ ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନ ଘେରରେ ରହିଛି ଚିନ୍ମୟୀଙ୍କ ମୃତ୍ୟୁ ମାମଲା।

Tags: #VSSUT #ChinmayeePriyadarshiniSahoo #UnnaturalDeath #MurderCase #PoliceInvestigation

LEAVE A REPLY

Please enter your comment!
Please enter your name here