ଓଡ଼ିଶାଲାଇଭ୍ ବ୍ୟୁରୋ

 

ବାଣ ବିସ୍ଫୋରଣ ଯୋଗୁଁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆଉ ତିନି ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ସୋମବାର ସକାଳେ ଏହିଭଳି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମରେ। ଦୋଳପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଛି।

ଭୂଷଣ୍ଡପୁର ଗ୍ରାମରେ ଦୋଳ ଉତ୍ସବ ପାଇଁ ବିନା ଅନୁମତିରେ ବାଣ ପ୍ରସ୍ତୁତ କରାଯାଉଥିଲା। ଏଥିରେ ନିୟୋଜିତ ଥିଲେ ପ୍ରାୟ ୮ ଜଣ। ଆଜି ସକାଳେ ହଠାତ୍ ବିସ୍ଫୋରଣ ଘଟି ଘଟଣାସ୍ଥାଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ବାଣ ପ୍ରସ୍ତୁତ ପାଇଁ କାହାରିକୁ ଅନୁମତି ପ୍ରଦାନ କରାଯାଇନଥିଲା। ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ଆଉ କେଉଁ କେଉଁ ସ୍ଥାନରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି ତା’ର ତଦନ୍ତ କରାଯିବା ସହ ସମ୍ପୃକ୍ତ ବାଣ ଗୋଦାମଗୁଡ଼ିକୁ ସିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହା ପୂର୍ବରୁ ଗତ ଫେବ୍ରୁଆରି ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ମାଧୁରୀ ବଜାରଠାରେ ଥିବା ଏକ ବାଣ ଗୋଦାମରେ ନିଆଁ ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

Tags: #CrackerExplosion #BhusandaPurVillage #Khordha #Death

Comment