ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରତି ଜିଲ୍ଲାରେ ହେବ ଗୋଟିଏ ଗୋଟିଏ ଇଣ୍ଡଷ୍ଟ୍ରିଆଲ ପାର୍କ
  • ୫ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି ବଜାର
  • ସ୍ଵୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି ପାଇଁ ନିର୍ମାଣ ହେବ ମିଶନ ଶକ୍ତି ଭବନ

“ମିଶନ ଶକ୍ତି ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ୬ ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ରୋଜଗାର ଭିତ୍ତିକ ଏବଂ ବିଭିନ୍ନ ସରକାରୀ ଯୋଜନାରେ ମହିଳାମାନଙ୍କୁ ସଶକ୍ତ କରାଯାଉଛି। ନିରନ୍ତ ଆର୍ଥିକ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କଠାରେ ଆତ୍ମବିଶ୍ଵାସ ସୃଷ୍ଟି କରିଛନ୍ତି”, କହିଛନ୍ତି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

ସୋମବାର ଦିନ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ଵାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆହୁରି କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି।

ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ନିମନ୍ତେ ବୈଦ୍ୟୁତିକ ସ୍କୁଟର ଲାଗି ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

“ମିଶନ ଶକ୍ତି ବିଭାଗ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରିବା ଲାଗି ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମିଶନ ଶକ୍ତି ସ୍ଵୟଂ ମହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବାକୁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି। ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳକ ସୁଧ ରହାତି ଫେରସ୍ତ କରାଯାଉଛି”, କହିଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

ସ୍ଵୟଂ ମହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଏବଂ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ।

“ବ୍ଲକ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଏବଂ ବିଜନେସ ମ୍ୟାନେଜମେଣ୍ଟ, ଫ୍ୟାସନ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲମି ପାଇଁ ୭୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ। ଆଗାମୀ ୫ ବର୍ଷରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୭୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି”, କହିଛନ୍ତି ସୁଜାତା କାର୍ତ୍ତିକେୟନ।

୩୦ଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି। ୩୩୮ଟି ବ୍ଲକସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା ହୋଇଛି। ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିକର ବ୍ୟବସ୍ଥା କରାଯାଇଛି। ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଏବଂ ଗସ୍ତ ଭତ୍ତା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହି ସମସ୍ତ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ସୂଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଏବଂ ତାଲମ ସହିତ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହ ସ୍ଵୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି ବ୍ୟବସ୍ଥା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ଓ୍ଵାର୍ଡରେ ମିଶନ ଶକ୍ତି ଗୃହ ଓ ବ୍ଲକ ଏବଂ ଜିଲ୍ଲାସ୍ତରରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି। ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା ରହିଛି। ଏଥିପାଇଁ ୩୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି କହିଛନ୍ତି  ମିଶନ ଶକ୍ତି ବିଭାଗ କମିଶନର ସୁଜାତା କାର୍ତ୍ତିକେୟନ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମିଶନ ନିର୍ଦ୍ଦେଶାଳୟ କାର୍ଯ୍ୟନିର୍ବାହୀ ଡକ୍ଟର ଥିରୁମାଲା ନାୟକ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ମିଶନ ଶକ୍ତି ବିଭାଗ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Tags: #MissionShakti #WSHG #BasantiHembram #SujataKarthikeyan #OdishaBudget2023

Comment