ଓଡ଼ିଶାଲାଇଭ୍ ବ୍ୟୁରୋ

ମିଶନ ଶକ୍ତି ମା’ମାନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ରାଜ୍ୟ ସରକାର।

କେବଳ ସେତିକି ନୁହେଁ ମିଶନ ଶକ୍ତି ସଦସ୍ୟା ଏବଂ ଲିଡରମାନଙ୍କୁ ୟୁନିଫର୍ମ ଏବଂ ବ୍ଲେଜର ପାଇଁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

“ମା’ମାନଙ୍କ ସମ୍ମାନ ଏବଂ ଉନ୍ନତି ପାଇଁ ମୋ ସରକାର ସବୁ ବେଳେ ପ୍ରାଥମିକତା ଦେଇଆସୁଛି। ମିଶନ ଶକ୍ତି ମା’ମାନଙ୍କୁ ୮ ହଜାର କୋଟି ଟଙ୍କାର ବ୍ୟବସାୟିକ ସହାୟତା ଯୋଗାଇ ଦିଆଯାଇଛି। ମା’ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପାର୍ଟନର ହୋଇଛନ୍ତି। ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି। ଆଜି ମିଶନ ଶକ୍ତି ମା’ମାନଙ୍କର ସଫଳତା କଥା ଦେଶ ବିଦେଶରେ ପହଞ୍ଚି ପାରିଛି”, ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ତିଆରି ଜିନିଷର ବିକ୍ରିବଟା ପାଇଁ ମିଶନ ଶକ୍ତି ବଜାର କରାଯାଉଛି। ଆସନ୍ତା ୫ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଓ ରିଟେଲ ଆଉଟଲେଟ ଖୋଲାଯିବ।  

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରି ବରଗଡ଼ ଜିଲ୍ଲା ମା’ ଯମୁନା ଏସଏଚଜି ଓ ଗଞ୍ଜାମ ଜିଲ୍ଲା ମା’ ବିମଳା ଏସଏଚଜିକୁ ଚେକ୍‌ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ ମହିଳା ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ମିଶନ ଶକ୍ତି ମା’ମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ।  

ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇ  କହିଥିଲେ ବିନା ସୁଧରେ ଋଣ ବ୍ୟବସ୍ଥା ମା’ମାନଙ୍କ ହାତମୁଠାକୁ ଟାଣ କରିବା ସହିତ ଆର୍ଥିକ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଶକ୍ତ କରିଛି।

Tags: #MissionShakti #MissionShaktiBazar #OdishaGovt #CMNaveenPatnaik #LoanForMissionShaktiMembers #Odisha

Comment