ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି ହୋଇଛି। ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର କର୍ମକର୍ତ୍ତାଙ୍କ ବୈଠକ ଦେୟକୁ ୫୦୦ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର। ଏହା ୨୦୨୩ ମସିହା ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ। ଏଥିରେ ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବାସହ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା ଉପକୃତ ହେବେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ବ୍ଲକସ୍ତରୀୟ ମିଶନ ଶକ୍ତି ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ଏବେ ୪,୫୦୦ ଟଙ୍କା ପାଇବେ। ପୂର୍ବରୁ ସେମାନେ ପୂର୍ବରୁ ୪ ହଜାର ଟଙ୍କା ପାଉଥିଲେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨ ହଜାର ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ।

ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ଏବେ ବୈଠକ ପାଇଁ ୨,୫୦୦ ଟଙ୍କା ପାଇବେ। ପୂର୍ବରୁ ସେମାନେ ୨ ହଜାର ଟଙ୍କା ପାଉଥିଲେ। ଏହାସହ ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧ ହଜାର ଟଙ୍କା ପାଉଥିବାବେଳେ ଏବେ ୧,୫୦୦ ଟଙ୍କା ପାଇବେ।

ଏବେ ରାଜ୍ୟରେ ମିଶନ ଶକ୍ତି ବ୍ଲକସ୍ତରୀୟ ଫେଡେରସନରେ ୬୭୬ ଜଣ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩,୦୪୨ ରହିଛି। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩ ହଜାର ୫୮୮ ଜଣ ସଭାପତି ଓ ସମ୍ପାଦକ ଥିବାବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୭୦୪ ରହିହି। ପୂର୍ବରୁ ସେମାନଙ୍କ ବୈଠକ ଦେୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଥିଲା।

Tags: #MissionShakti #SHGWorkers #WomenEmpowerment #Odisha

Comment