ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ସହ କ୍ଷୁଦ୍ର ସଞ୍ଚୟ କ୍ଷେତ୍ରକୁ ମହିଳାଙ୍କ ବଡ଼ ଯୋଗଦାନ ପ୍ରମାଣିତ ହୋଇସାରିଛି। ଖାଲି ସେତିକି ନୁହଁ ବଡ଼ି ପାମ୍ପଡ଼ ପ୍ରସ୍ତୁତିରୁ ବାହାରି ସେମାନେ ଏବେ ଲଘୁ ଉଦ୍ୟୋଗପତି ହେବା ରାସ୍ତାରେ। ସରକାରଙ୍କ ବିଭିନ୍ନ ମହତ୍ଵାକାଂକ୍ଷୀ ଯୋଜନାରେ ସେମାନଙ୍କ ଆର୍ଥିକ ନିର୍ଭରଶୀତା ବଢ଼ିବା ପରେ ସେମାନଙ୍କ ଋଣ ନେବାର ଯୋଗ୍ୟତା ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ଋଣ ପରିଶୋଧ କରିବାର ସ୍ଵଭାବ ସୁଲଭ ଗୁଣ ପାଇଁ ସେମାନଙ୍କ କ୍ରେଡିଟ୍ ସ୍କୋର ପୁରୁଷମାନଙ୍କଠାରୁ ବହୁତ ଅଧିକ ରହିଛି।

ଆମ ଦେଶରେ ଯେତିକି ବଡ଼ ବଡ଼ ଋଣ ଠକେଇ ହୋଇଛି, ସବୁର ଅଭିଯୁକ୍ତ ପୁରୁଷ। ଖାଲି ସେତିକି ନୁହେଁ, ପର୍ସନାଲ ଲୋନ୍, ହୋମ୍ ଲୋନ, ଅଟୋମୋବାଇଲ ଲୋନ ଏବଂ କ୍ରେଡିଟ କାର୍ଡ ଖିଲାପୀଙ୍କ ମଧ୍ୟରେ ପୁରୁଷମାନଙ୍କ ସଂଖ୍ୟା ମହିଳମାନଙ୍କ ତୁଳନାରେ ବହୁତ ଅଧିକ। ସେଥିପାଇଁ ପୁରୁଷମାନଙ୍କ କ୍ରେଡିଟ ସ୍କୋର ଖରାପ ହେବାରେ ଲାଗିଥିବା ବେଳେ ମହିଳାମାନେ ଋଣଦାତାଙ୍କ ବିଶ୍ୱାସ ବଜାୟ ରଖିବାରେ ସଫଳ ହୋଇଛନ୍ତି।

ସବୁଠାରୁ ବଡ଼ କଥା ହେଲା ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ବିଭିନ୍ନ ରାଷ୍ଟ୍ରାୟତ ଓ ବେସରକାରୀ ବ୍ୟାଙ୍କ ସହ ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ପାଇବାରେ ସଫଳ ହୋଇଛନ୍ତି। ମହିଳାଙ୍କ ମଧ୍ୟରେ ୫୭ ପ୍ରତିଶତଙ୍କ କ୍ରେଡିଟ ସ୍କୋର ଅତି ଉତ୍ତମ ଥିବାବେଳେ ଏହି ବର୍ଗରେ ପୁରୁଷଙ୍କ ସଂଖ୍ୟା ୫୧ ପ୍ରତିଶତ। ମହିଳାଙ୍କ ଋଣ ନେବା ଯୋଗ୍ୟତା ବୃଦ୍ଧି ଅର୍ଥନୀତି ପାଇଁ ଶୁଭଙ୍କର ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତଦେଇଛନ୍ତି।

ଏକ ରିପୋର୍ଟ ଅନୁସାରେ ୨୦୨୨ରେ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ୬ କୋଟି ୩୦ ଲକ୍ଷକୁ ବୃଦ୍ଧି ପାଇଛି ଯାହା ମୋଟ ଋଣଗ୍ରହୀତାଙ୍କର ୨୮ ପ୍ରତିଶତ। ଏହି ବର୍ଷ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପୁରୁଷମାନଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକଣର ଯୋଜନାର ଫଳ ସୂରୁପ ଋଣ ନେବାରେ ମହିଳାଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି। ଏହାର ପ୍ରଭାବ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପକାଇଛି। ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇଛି।

କର୍ମଜୀବୀ ମହିଳାଙ୍କ ସଂଖ୍ୟା ବଢ଼ିଛି। ବ୍ୟାଙ୍କ କାରବାରରେ ବି ସେମାନେ ଅଧିକରୁ ଅଧିକ ସାମିଲ ହୋଇଛନ୍ତି।  ଘରୋଇ ସାମଗ୍ରୀ  ହେଉ କିମ୍ବା ଯାନବାହାନ କିଣା, ମହିଳାମାନଙ୍କ ଆଗ୍ରହ ବଢ଼ିଛି। ବ୍ୟାଙ୍କ ହେଉ କିମ୍ବା ଅଣବ୍ୟାଙ୍କିଙ୍କ ସଂସ୍ଥା ସେମାନେ କିସ୍ତିରେ ଋଣ ନେଇ କିଣିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ଇଛା ଆଉ ସ୍ଵପ୍ନ ପୂରଣ କରିବାରେ ଋଣ ସହଯୋଗ କରୁଛି।

ବ୍ୟବସାୟିକ ଋଣ ନେବା କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଗତ ୫ ବର୍ଷ ଭିତରେ ବ୍ୟବସାୟ ଋଣ ନେଉଥିବା ମହିଳାଙ୍କ ସଂଖ୍ୟା ୩ ଗୁଣା ବୃଦ୍ଧି ପାଉଛି। ଖୁସିର କଥା ଯେ ମହିଳାମାନଙ୍କ ଭିତରେ ଋଣ ସୁଝିବାର ପ୍ରବଣତା ପୁରୁଷମାନଙ୍କଠାରୁ ଅନେକ ଗୁଣ ଅଧିକ। ଆସନ୍ତା ୭ ବର୍ଷ ଭିତରେ ଅତି କମରେ ୩ କୋଟି ମହିଳା ବ୍ୟବସାୟିକ ଋଣ ନେବା ସହ  ୧୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବେ। ବ୍ୟବସାୟିକ ଋଣ ନେବା ଗତ ୫ ବର୍ଷ ଭିତରେ ୧୨ ପ୍ରତିଶତ ବଢ଼ି ୩୨ ପ୍ରତିଶତରେ ପହଞ୍ଚିଛି। ମହିଳମାନଙ୍କ ପାଖରେ ସୁନାଗହଣା ଅଧିକ। ସେଥିପାଇଁ ସୁନା ଋଣ ନେବାରେ ମଧ୍ୟ ମହିଳାମାନେ ଆଗେଇଛନ୍ତି। ୪୨ ପ୍ରତିଶତ ସୁନାଋଣ ମହିଳାମାନେ ହିଁ ନେଇଛନ୍ତି।

କ୍ରେଡିଟ ଶୃଙ୍ଖଳାକୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଗୁରୁତ୍ଵ ଦେଇଛନ୍ତି। ୮୨ ଲକ୍ଷରୁ ଅଧିକ ମହିଳାମାନେ ସେମାନଙ୍କ କ୍ରେଡିଟ ସ୍କୋର ଯାଞ୍ଚ କରିଥିବା ବେଳେ ମାତ୍ର ୫୩ ଲକ୍ଷ ପୁରୁଷ ସେମାନଙ୍କ କ୍ରେଡିଟ ସ୍କୋର ଯାଞ୍ଚ କରିଛନ୍ତି।

ଅନ୍ୟାନ୍ୟ ଋଣ ନେବାରେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ ଥିଲେ ମଧ୍ୟ ମାଇକ୍ରୋ କ୍ରେଡିଟ ବା ଅଣୁ ଋଣ କ୍ଷେତ୍ରରେ ମହିଳାମାନେ ହିଁ  ଆଗରେ ଅଛନ୍ତି। ମାଇକ୍ରୋ ଫାଇନାନ୍ସ ଋଣର ୯୯ ପ୍ରତିଶତ କେବଳ ମହିଳାମାନେ ହିଁ ନେଇଛନ୍ତି। ଓଡ଼ିଶାରେ ମିଶନଶକ୍ତି ମହିଳାମାନଙ୍କୁ ବିନା ସୁଧରେ ଋଣ ଯୋଗାଇବାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ କରି ଗ୍ରୁପ୍ ଲୋନରେ ଆଶାତୀତ ଅଭିବୃଦ୍ଧି ଘଟିଛି। ଏହି ଋଣ ପାଇଁ ମହିଳାମାନେ ସ୍ଵାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଡିଜିଟାଲ ସାକ୍ଷରତା ସହ ବ୍ୟାଙ୍କିଂ ସାକ୍ଷରତା କାର୍ଯ୍ୟକ୍ରମ ମହିଳାମାନଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡ଼ିବାରେ ସଫଳ ହୋଇଛି।

Tags: #MensCreditScore #WomenLenders #Loans #MicroFinance

Comment