ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଉତ୍ତର ପୂର୍ବାଞ୍ଚଳରେ ବାମଦଳ ଓ କଂଗ୍ରେସକୁ ଏକଦମ୍ ପଛକୁ ଠେଲିଦେଇ କ୍ଷମତା ବଜାୟ ରଖିଛି ବିଜେପି।

ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ସରିଛି। ୨୦୧୮ ନିର୍ବାଚନ ପରି ବିଜେପି ଅଧୀନକୁ ପୁଣି ଆସିଛି ରାଜନୈତିକ କ୍ଷମତା। ଉତ୍ତରରୁ ଦକ୍ଷିଣ ଭାରତ, ‘ଭାରତ ଯୋଡ଼ୋ’ର ଫଳାଫଳକୁ ନେଇ ଖୁସି ଥିବା ରାହୁଲ ଗାନ୍ଧୀଙ୍କୁ ଉତ୍ତର ପୂର୍ବ ଭାରତର ଏହି ୩ ରାଜ୍ୟର ଫଳାଫଳ ଆଦୌ ଅପ୍ରତ୍ୟାଶିତ ଲାଗି ନ ଥିଲେ ମଧ୍ୟ ତାଙ୍କର ଦକ୍ଷତାକୁ ପୁଣି କାଠଗଡ଼ାରେ ଠିଆ କରିଦେଇଛି।

ଉତ୍ତର ପୂର୍ବ ଭାରତ। ଭୌଗୋଳିକ, ସାଂସ୍କୃତିକ, ରାଜନୀତି ଦୃଷ୍ଟିରୁ ଅନ୍ୟ ଭାରତୀୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବିଭିନ୍ନ ଅଧିକାର ପାଇଁ ଲଢ଼େଇ କରି ଆସୁଥିବା ଏ ରାଜ୍ୟଗୁଡ଼ିକ ପାଇଁ ରାଜନୀତି ଏକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ର। ଆଞ୍ଚଳିକ ସମସ୍ୟାର ରାଜନୈତିକ ସମାଧାନ ପାଇଁ ଏଠାକାର ରାଜନୀତି ଜାତୀୟଦଳ ଉପରେ ନିର୍ଭରଶୀଳ।

ବାମପନ୍ଥୀ,  ମଧ୍ୟମପନ୍ଥୀ ରାଜନୀତିରୁ ଏ ରାଜ୍ୟଗୁଡ଼ିକ ଏବେ ଦକ୍ଷିଣପନ୍ଥୀ ଅର୍ଥାତ ବିଜେପି ଉପରେ ଭରସା କରିବାରେ ଲାଗିଛନ୍ତି। ଲୋକଙ୍କ ଆସ୍ଥାର ସ୍ଥାନାନ୍ତର ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବାମଦଳ ଓ କଂଗ୍ରେସ। ରାଜ୍ୟର ରାଜନୈତିକ ମାନଚିତ୍ର ଦେଖିଲେ ବିଶ୍ଵାସ ହେବନି ଯେ ଏବେ ଗେରୁଆ ଦେଖାଯାଉଥିବା ଏ ଉତ୍ତରପୂର୍ବ ଭାରତର ରାଜନୈତିକ ମାନଚିତ୍ର ଦିନେ ଲାଲ୍ କିମ୍ବା ସବୁଜ ଥିଲା।

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଫଳାଫଳ ଅନେକ ରାଜନୈତିକ ପୂର୍ବାନୁମାନକୁ ପ୍ରମାଣିତ କରିଛି। ବିଜେପିର ଦବଦବା ପୂର୍ବ ଭଳି କାଏମ ରହିଛି। ଆଞ୍ଚଳିକ ଦଳଗୁଡ଼ିକ ବି ବହୁମାତ୍ରାରେ  ସେମାନଙ୍କର ପ୍ରାସଂଗିକତା ବଜାୟ ରଖିଛନ୍ତି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଶାସନ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି। ମେଘାଳୟରେ କ୍ଷୁଦ୍ର ଦଳ ହୋଇଥିଲେ ମଧ୍ୟ ବିଜେପି ଉପରେ ଏନପିପି ନେତା କନରାଡ ସାଙ୍ଗମାଙ୍କ ମୁଖ୍ୟମନ୍ତ୍ରୀ ହେବାର ଇଛା ନିର୍ଭରଶୀଳ। ମୋଟାମୋଟି ବିଜେପି ପାଇଁ ଏ ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଲାଗି ଶକ୍ତିବର୍ଦ୍ଧକ ସାବ୍ୟସ୍ତ ହେବ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି।

ଉତ୍ତରପୂର୍ବ ଭାରତର ୭ଟି ରାଜ୍ୟ ମଧ୍ୟରୁ ମିଜୋରାମକୁ ଛାଡ଼ିଦେଲେ ଅନ୍ୟ ସବୁଠି ବିଜେପିର ସରକାର ଅଛି। ୧୦ ବର୍ଷ ତଳେ ଯଦି କେଉଁ ରାଜନୀତି ସମୀକ୍ଷକଙ୍କୁ ବିଜେପିର ଉତ୍ତରପୂର୍ବ ରାଜ୍ୟରେ ଭବିଷ୍ୟତ ସମ୍ପର୍କରେ ପଚରା ଯାଇଥାନ୍ତା ତେବେ କେହି ଏମିତି ଅନୁମାନ କରି ନ ଥାନ୍ତେ ଏପରି ପରିବର୍ତ୍ତନ ହେବ ବୋଲି।  ପ୍ରକୃତରେ ସେତେବେଳେ ଏମିତି କେହି ବି ଅନୁମାନ କରିପାରି ନ ଥିଲେ ଯେ ବିଜେପି ଏକୁଟିଆ ଶାସନକୁ ଆସିବ କିମ୍ବା ସଂଖ୍ୟା ଗଣିତରେ ଆଗରେ ରହିବ।

ବିଜେପିର ନିର୍ବାଚନ ସମୀକରଣକୁ ଅଧିକ ସରଳ କରିଦେଇଥିଲେ ଆଞ୍ଚଳିକ ଦଳ। ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଆଞ୍ଚଳିକ ଦଳଗୁଡ଼ିକ ସହ ସେଠାକାର ଭୋଟରଙ୍କ ବିଶ୍ଵାସ ଜିତିବାରେ ସଫଳ ହୋଇଥିଲା। ଯାହାର ଫଳାଫଳ ଭୋଟ ଗଣିତରେ ଗତ ଦୁଇଟି ନିର୍ବାଚନରେ ପ୍ରତିଫଳିତ ହୋଇଛି।

ଅରୁଣାଚଳପ୍ରଦେଶରେ ନ୍ୟାସନାଲ ପିପୁଲ୍ସ ପାର୍ଟି ସହ ମିଶି ବିଜେପି ଶାସନରେ ଅଛି। ଅନେକ ବର୍ଷ ଧରି ଏଠାରେ କଂଗ୍ରେସ ଶାସନ କରିଆସୁଥିଲେ ମଧ୍ୟ ୨୦୧୯ରେ ବାଜି ଓଲଟିଯାଇଥିଲା। ୨୦୧୪ରେ କଂଗ୍ରେସ ମୋଟ ୬୦ଟି ଆସନରୁ ୪୨ଟି ଆସନ ଜିତିଥିବା ବେଳେ ବିଜେପି ୧୧ଟି ଆସନ ଜିତିଥିଲା। ୨୦୧୯ରେ କିନ୍ତୁ ବିଜେପିର ଲହର ଏଠାରେ କଂଗ୍ରେସକୁ ଧରାଶାୟୀ କରିଦେଇଥିଲା। କଂଗ୍ରେସ ୩୮ଟି ଆସନ ହରାଇଥିଲା ବେଳେ  ପୂର୍ବ ନିର୍ବାଚନ ତୁଳନାରେ ବିଜେପି ୩୦ଟି ଅଧିକ ଆସନ ଜିତିଥିଲା ଓ ସରକାରକୁ ଆସିଥିଲା।

୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ତାର ହାଓ୍ଵା ଆସାମରେ ବି ବହିବା ଆରମ୍ଭ କରିଥିଲା। ୨୦୧୧ ନିର୍ବାଚନରେ କଂଗ୍ରେସ ମୋଟ ୧୨୬ଟି ଆସନରୁ ୭୮ଟି ଆସନ ଜିତି ସରକାର କରିଥିଲା। ବିଜେପିକୁ ମାତ୍ର ୫ଟି ଆସନ ମିଳିଥିଲା। କିନ୍ତୁ ୨୦୧୬ ନିର୍ବାଚନରେ କଂଗ୍ରେସ ମାତ୍ର ୨୬ଟି ଆସନ ପାଇଥିବା ବେଳେ ବିଜେପି ୬୦ଟି ଆସନ ଜିତିବା ସହ ଆସାମ ଗଣପରିଷଦ ଓ ବିପିଏଫ୍ ସହ ମିଶି ସରକାର ଗଠନ କରିଥିଲା। ୨୦୨୧ରେ ବି ସଫଳତା ବଜାୟ ରଖିଥିଲା ବିଜେପି।

ମଣିପୁର କଂଗ୍ରେସର ଗଡ଼ ଥିଲା। ୨୦୧୨ରେ ବିଜେପି ଶୂନ ଥିଲା। କେବଳ ୨ ଜଣ ପ୍ରାର୍ଥୀ ଦ୍ଵିତୀୟ ସ୍ଥାନରେ ରହିଥିଲେ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ୪୨ ଆସନ ଜିତି କଂଗ୍ରେସ ସରକାର କରିଥିଲା। ୨୦୧୭ରେ କଂଗ୍ରେସର ସ୍ଥିତି ଖରାପ ହୋଇଥିଲା। କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ବିଜେପି ମେଣ୍ଟ କରି ସରକାର କରିଥିଲା। ୨୦୨୨ରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା।

ନାଗାଲାଣ୍ଡରେ ବିଜେପିର ମେଣ୍ଟ ସରକାର। ୨୦୨୩ ନିର୍ବାଚନରେ ବିଜେପି ମେଣ୍ଟର ବଡ଼ ଭାଗୁଆଳି ଏନଡିପିପି ୨୫ ଓ ବିଜେପି ୧୨ଟି ଆସନ ଜିତିଛନ୍ତି। ଏଠାରେ ବିଜେପିର ସ୍ଥିତି ୨୦୧୩ରେ ଆଦୌ ଭଲ ନ ଥିଲା। କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ବିଜେପି ୨୦୧୮ରେ ୧୨ ଆସନ ଜିତିବା ସହିତ ଏନଡିପିପି ସହ ମେଣ୍ଟ କରି ସରକାରରେ ଅଂଶୀଦାର ହୋଇଥିଲା।

ତ୍ରିପୁରା ସିପିଏମର ଗଡ଼ ଥିଲା। ଏ ଗଡ଼ ୨୦୧୩ ଯାଏ ଅଟଳ ଥିଲା। ୨୦୧୮ରେ ସିପିଆଇ(ଏମ୍) ଭୋଟରଙ୍କ ଆସ୍ଥା ହରାଇଥିଲା ଓ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା। ୨୦୧୩ରେ ବିଜେପି ଗୋଟିଏ ବି ଆସନ ପାଇ ନ ଥିଲେ ମଧ୍ୟ ୨୦୧୮ରେ ୩୬ଟି ଆସନ ସହ ବହୁମତ ପାଇଥିଲା। କଂଗ୍ରେସ ୧୦ ଆସନରୁ ଶୂନକୁ ଖସିଯାଇଥିଲା ଓ ସିପିଆଇ(ଏମ୍) ୪୯ ଆସନରୁ ୧୬କୁ ଖସିଯାଇଥିଲା। ୨୦୨୩ରେ ବିଜେପି ୩୨ ଆସନ ସହ ବହୁମତ ହାସଲ କରିଛି। ସିପିଆଇ(ଏମ୍‌) ମାତ୍ର ୧୧ଟି ଆସନ ଓ କଂଗ୍ରେସ ୩ଟି ଆସନ ଜିତିଛନ୍ତି।

ମେଘାଳୟରେ ୨୦୧୮ରେ  କନରାଡ ସାଂଗମାଙ୍କ ଏନପିପି ସହ ମିଶି ସରକାରରେ ସାମିଲ ହୋଇଥିଲା ବିଜେପି। ୨୦୨୩ରେ ମେଘାଳୟରେ କାହାକୁ ସ୍ପଷ୍ଟ ବହୁମତ ମିଳି ନ ଥିଲେ ମଧ୍ୟ ବିଜେପି ଓ ଅନ୍ୟ ଦଳ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି କନରାଡଙ୍କ ଏନପିପି।

ହିନ୍ଦୀ ଭାଷାଭାଷୀ ରାଜ୍ୟ ଭଳି ନିର୍ବାଚନୀ ରଣନୀତି ଉତ୍ତରପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ କାମ କରିବ ନାହିଁ ବୋଲି ବିଜେପି ବହୁ ପୂର୍ବରୁ ବୁଝିସାରିଥିଲା। ତେଣୁ କଂଗ୍ରେସ ଓ ବାମଦଳର ବିଭାଜନ, ସରକାର ବିରୋଧୀ ଅନ୍ତଃସ୍ରୋତକୁ ନିଜ ସପକ୍ଷରେ ଆଣିବା ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ଆକଳନ କରି ସେମାନଙ୍କ ସହ ବୁଝମଣା କରିବା ବିଜେପିକୁ ଏହି ସବୁ ରାଜ୍ୟରେ କ୍ଷମତାସୀନ କରାଇଛି।

Tags: #Politics #IndianPolitics #Election #BJP #NorthEast

Comment