ଓଡ଼ିଶାଲାଇଭ୍ ବ୍ୟୁରୋ

corona virus

କୋଭିଡ ପରେ ଏଚ୍୩ଏନ୍୨ ଭାଇରସ (ଇନଫ୍ଲୁଏଞ୍ଜା ଭାଇରସ)କୁ ନେଇ ଦେଶରେ ଆତଙ୍କ ଆରମ୍ଭ ହୋଇଛି। ଏହି ଭାଇରସ ଯୋଗୁଁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମାମଲା କର୍ଣ୍ଣାଟକରୁ ଆସିଥିବାବେଳେ ଦ୍ଵିତୀୟ ମାମଲା ହରିଆଣାରୁ ଆସିଛି। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି।

ଏଚ୍୩ଏନ୍୨ ଭାଇରସ ଯୋଗୁଁ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ହରିଆଣାର ଜଣେ ବ୍ୟକ୍ତି ମଧ୍ୟ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯୦ ଜଣ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।

ଏଚ୍୩ଏନ୨ ଭାଇରସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହେବା ଖବର ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କୁ ଏହି ଭାଇରସ ଅଧିକ ପ୍ରଭାବିତ କରୁଥିବା ଡାକ୍ତର କହିଛନ୍ତି। ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ରୋଗୀଙ୍କଠାରେ ସମାନ ଲକ୍ଷଣ ଦେଖିବାକୁ ମିଳୁଛି। ଥଣ୍ଡା, କାସ, ଗଳା ଦରଜ, ଶରୀରରେ ପୀଡ଼ା ଏବଂ ନାକରୁ ପାଣି ବୋହିବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି।

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଏଚ୍୩ଏନ୍୨ ଏକ ପ୍ରକାରର ଇନଫ୍ଲୁଏଞ୍ଜା ଭାଇରସ। ଏହି ଇନଫ୍ଲୁଏଞ୍ଜା ଭାଇରସ ଡ୍ରାପଲେଟସ ମାଧ୍ୟମରେ କୋଭିଡ ଭଳି ସଂକ୍ରମଣ ବଢ଼ାଇ ଥାଏ। ପୂର୍ବରୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବର୍ତ୍ତମାନ ସମୟରେ ସତର୍କ ରହିବାକୁ ସେ କହିଛନ୍ତି।

ମାସ୍କ ପରିଧାନ ସହ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରଖିବାକୁ ଡାକ୍ତର ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି। ଏହି ଭାଇରସ ପାଇଁ ଭ୍ୟାକ୍ସିନ ଉପଲବ୍ଧ ଥିବା ସେ କହିଛନ୍ତି। ବର୍ତ୍ତମାନ ସମୟାରେ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Tags: #Virus #H3N2Influenza #Disease #Death

Comment