ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚାଲିଥିବା ୨୦୨୩ ମାଟ୍ରିକ ପରୀକ୍ଷା ସୋମବାର ଶେଷ ହୋଇଛି। ଛାତ୍ରଛାତ୍ରୀ ଶେଷ ଦିନରେ ଗଣିତ ପରୀକ୍ଷା ଦେଇଥିଲେ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ବେଳେ ଶେଷ ହୋଇଥିଲା। ଏପ୍ରିଲ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

“ଚଳିତବର୍ଷର ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସରିଛି। ଏ ବର୍ଷ ପ୍ରଶ୍ନପତ୍ରରେ କିଛି ତ୍ରୁଟି ଦେଖାଯାଇଥିଲେ ମଧ୍ୟ ଏହା ପରୀକ୍ଷା ଉପରେ କୌଣସି ପ୍ରଭାବ ପକାଇ ନାହିଁ। ଆସନ୍ତା ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏଥର ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ”,  କହିଛନ୍ତି ବୋର୍ଡ ସଭାପତି ରମାଶିଷ ହାଜରା।

ସୋମବାର ମାଟ୍ରିକ ପରୀକ୍ଷାର ଶେଷ ଦିନରେ ସବୁ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରଯାଇଥିଲା। ଗଣିତ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ, ପେନ୍, ପେନସିଲ ସହିତ ଜୋମେଟ୍ରିବକ୍ସ ନେବାର ଅନୁମତି ଦିଆଯାଇଥିଲା।

ଚଳିତବର୍ଷ ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହୋଇଥିଲା। ପରୀକ୍ଷାକୁ ଭଲ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରଯାଇଥିଲା। ବିଶେଷକରି କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। ସବୁଦିନ ସ୍ୱତନ୍ତ୍ର ସ୍କ୍ଵାର୍ଡ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରିଦର୍ଶନରେ ଯାଉଥିଲେ। ପରୀକ୍ଷାବେଳେ ରାଜ୍ୟର କିଛି ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେବା ପରିଲକ୍ଷିତ ହୋଇଥିଲା।

୨୦୨୩ ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶାରେ ମୋଟ  ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ପରୀକ୍ଷାକୁ ସୂଚାରୁ ରୂପେ ଚଳାଇବା ପାଇଁ ମୋଟ ୩ ହଜାର ୨୧୮ଟି  ପରୀକ୍ଷା କେନ୍ଦ୍ର ହୋଇଥିଲା। ଏହାଛଡ଼ା ପ୍ରଶ୍ନପତ୍ର ରଖିବା ପାଇଁ ବୋର୍ଡ ପକ୍ଷରୁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ଏଥିମଧ୍ୟରୁ ନକ୍ସଲ ପ୍ରବଣ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା।

Tags: #MatricExam2023 #Education #BSE #Students #Examination #Odisha

 

Comment