ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ନୂଆ ଫିଲ୍ମ ‘ଜ୍ଵିଗାଟୋ’ ଏବେ ମୁକ୍ତିଲାଭ କରିଛି। ବୁଧବାର ନବୀନ ନିବସରେ ଏହି ଫିଲ୍ମର ଏକ ସ୍ଵତନ୍ତ୍ର ସ୍କ୍ରିନିଂ ରଖାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫିଲ୍ମକୁ ଦେଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏହି ଫିଲ୍ମ ଉପରୁ କର ଛାଡ଼ କରିବାର ଘୋଷଣା କରିଥିଲେ।

“ସାମାଜିକ ପରିବର୍ତ୍ତନ ଦିଗରେ ‘ଜ୍ଵିଗାଟୋ’ ଚଳଚ୍ଚିତ୍ର ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସଫଳ ହୋଇଛି। ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଫିଲ୍ମରେ ଭଲ ଭାବେ ଉପସ୍ଥାପିତ କରାଯାଇଛି। ଏହାସହ ଫିଲ୍ମରେ କଳା ପ୍ରତି ମଧ୍ୟ ଉଚିତ୍‌ ଧ୍ୟାନ ଦିଆଯାଇଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି,“ଆମେ ଓଡ଼ିଶାରେ ଅଧିକ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରୋତ୍ସାହନ ଦେବ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ। ଏହା ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାର ପର୍ଯ୍ୟଟନକୁ ବିକାଶ କରିବାରେ ସହାୟକ ହେବ।”

ନବୀନ ନିବସରେ ହୋଇଥିବା ଜ୍ଵିଗାଟୋ ଫିଲ୍ମର ସ୍ଵତନ୍ତ୍ର ସ୍କ୍ରିନିଂରେ ଫିଲ୍ମର ନିର୍ଦେଶକ ନନ୍ଦିତା ଦାସ ଯୋଗ ଦେଇଥିଲେ। ଫିଲ୍ମ ପାଇଁ ମୁଖ୍ୟମନ୍ତ୍ରୀ ନନ୍ଦିତା ଦାସଙ୍କୁ ପ୍ରଶଂସା କରିଥିଲେ। ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଏହି ସ୍କ୍ରିନିଂ ଅବସରରେ ଉପସ୍ଥିତ ଥିଲେ।

 

‘ଜ୍ଵିଗାଟୋ’ ଫିଲ୍ମରେ ମୁଖ୍ୟ ଅଭିନେତା କପିଲ ଶର୍ମା ଏକ ଖାଦ୍ୟ ଡେଲିଭରି କରୁଥିବା ଲୋକର ଅଭିନୟ କରିଛନ୍ତି। କୋଭିଡ୍ ସମୟରେ ଚାକିରି ହରାଇ ବ୍ୟକ୍ତି ଜଣକ କିଭଳି ଭାବେ ଖାଦ୍ୟ ଡେଲିଭରି କରି ପରିବାର ଚଳାଇବାକୁ ସଂଘର୍ଷ କରୁଛି ତାହା ଫିଲ୍ମରେ ଦର୍ଶାଯାଇଛି।

‘ଜ୍ଵିଗାଟୋ’ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ଵର ସହରରେ ସୁଟିଂ କରାଯାଇଛି। ଏଥିରେ ଓଡ଼ିଶାର କିଛି କଳାକାର ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ମାର୍ଚ୍ଚ ୧୭ ତାରିଖରେ ସିନେମା ହଲରେ ରିଲିଜ୍ ହୋଇଥିଲା।

Tags: #ZwigatoMovie #SpecialScreening #Naveenpatnaik #KapilSharma #NanditaDas #Odisha

LEAVE A REPLY

Please enter your comment!
Please enter your name here