ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଓଡ଼ିଶା ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସରେ ଗୁରୁବାର ଅପରାହ୍ଣ ୫ଟା ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟ ହୋଇଥିଲା। ମମତାଙ୍କୁ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମମତା ବାନାର୍ଜୀ ଗୁରୁବାର ଅପରାହ୍ଣରେ ପୁରୀରୁ ସଡ଼କ ମାର୍ଗରେ ଆସି ସିଧାସଳଖ ନବୀନ ନିବାସରେ ପହଞ୍ଚିଥିଲେ। ଏହା ପରେ ଦୁଇ ମୁଖ୍ୟମନ୍ତ୍ରୀ  ବିଭିନ୍ନ ବିଷୟରେ କଥାବର୍ତ୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ରୂପାରେ ପ୍ରସ୍ତୁତ ତିନୋଟି ରଥର ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଇଥିଲେ।

ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ୨ ଏକର ଜମି ଯୋଗାଇଥିବାରୁ ମମତା ବାନାର୍ଜୀ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାଛଡ଼ା ପୁରୀରେ ତାଙ୍କର ସ୍ଵାଗତ ସତ୍କାର ଭଲଭାବେ କରାଯାଇଥିବାରୁ ସେ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

“ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଏଥିରେ ଆମ ଭିତରେ କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ। ଭାରତରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆମେ ଆଲୋଚନା କରିଥିଲୁ। ମୁଁ ନବୀନବାବୁଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲି”, କହିଛନ୍ତି ମମତା ବାନାର୍ଜୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ଓ ପଶ୍ଚିମବଙ୍ଗ ପଡୋଶୀ ରାଜ୍ୟ। ଆମ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ଓଡ଼ିଶାରେ ବାତ୍ୟା ଆସିଲେ ତାହା ପଶ୍ଚିମବଙ୍ଗକୁ ମଧ୍ୟ ଯାଏ। ଏମିତିରେ ପରସ୍ପର ମଧ୍ୟରେ ସହଯୋଗ ଜରୁରୀ ଅଟେ।”

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ଼ ହେବା ଆବଶ୍ୟକ ବୋଲି କହିଥିଲେ। ମମତା ବାନାର୍ଜୀ ମଧ୍ୟ ଏହି କଥାକୁ ସମର୍ଥନ କରିଥିଲେ। ପଶ୍ଚିମବଙ୍ଗର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି। ସେଠାକୁ ଯିବା ପାଇଁ ମମତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

ଗୁରୁବାର ନବୀନ ନିବସରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ମମତା ବାନାର୍ଜୀ ନିଜର ୩ ଦିନିଆ ଓଡ଼ିଶା ଗସ୍ତ ଶେଷ କରିଥିଲେ। ଏହାପରେ ସେ ଭୁବନେଶ୍ୱର ବିମାନବନ୍ଦର ଯାଇ ସେଠାରୁ କଲିକତା ଅଭିମୁଖେ ଯାତ୍ରା କରିଛନ୍ତି।

Tags: #MamataBanerjee #CmWestBengal #OdishaVisit #NaveenPatnaik

Comment