ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଗୁରୁବାର ତାଙ୍କର ଓଡ଼ିଶା ଗସ୍ତର ଶେଷ ଦିନ। ଶେଷଦିନରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଅପରାହ୍ଣ ୪ଟା ବେଳେ ନବୀନ ନିବାସରେ ହେବାକୁ ଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ଉପରେ ସମସ୍ତଙ୍କ ନଜର ରହିଛି।

“ନବୀନବାବୁଙ୍କ ସହ ଏହା ମୋର ଏକ ସୌଜନ୍ୟମୂଳକ ସାକ୍ଷାତକାର। ହକି ବିଶ୍ଵକପ ସମୟରେ ସେ ମତେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ମୁଁ ସେତେବେଳେ ବ୍ୟକ୍ତିଗତ କାରଣରୁ ଆସି ପାରିନଥିଲି। ମୁଁ ତାଙ୍କୁ ଓଡ଼ିଶା ଆସି ଦେଖାକରିବି ବୋଲି ପ୍ରତିଶ୍ରୁତି‌ ଦେଇଥିଲି। ଏହି ପ୍ରତିଶ୍ରୁତି ରକ୍ଷାକରି ମୁଁ ଗୁରୁବାର ନବୀନବାବୁଙ୍କୁ ଭେଟିବି”, କହିଛନ୍ତି ମମତା ବାନାର୍ଜୀ।

ମମତା ବାନାର୍ଜୀ ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶା ଆସି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ପୁରୀ ଅଭିମୁଖେ ଯାଇଥିଲେ। ପ୍ରଥମ ଦିନ ପୁରୀରେରହିବା ପରେ ସେ ବୁଧବାର ପୁରୀରେ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଚିହ୍ନଟ ଜମି ବୁଲି ଦେଖିଥିଲେ।

ବୁଧବାର ଅପରାହ୍ଣରେ ମମତା ବାନାର୍ଜୀ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଶ୍ରୀମନ୍ଦିର ଯାଇଥିଲେ। ସେ ଶ୍ରୀମନ୍ଦିର ଭିତରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ। ସେ ମନ୍ଦିରର ରତ୍ନବେଦୀରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାଛଡ଼ା ସେ ଶ୍ରୀମନ୍ଦିରର ବେଢ଼ା ପରିକ୍ରମା କରିଥିଲେ।

ଶ୍ରୀମନ୍ଦିରରେ ଦର୍ଶନ ଅବସରରେ ମମତାଙ୍କୁ ଦଇତାପତି ନିଯୋଗ ତରଫରୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି, ଶ୍ରୀଜିଉଙ୍କ ଫଟୋଚିତ୍ର, ମହାପ୍ରଭୁଙ୍କୁ ଲଗାଯାଇଥିବା ଖଣ୍ଡୁଆ ଉପହାରସ୍ଵରୂପ ଦିଆଯାଇଥିଲା।

Tags: #MamataBanarjee #CmWestBengal #OdishaVisit #NaveenPatnaik

Comment