ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବ ଏକାଧିକ ନିର୍ବାଚନ, ଯାହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ୨୦୨୩ରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ ‘୨୪’ ନିର୍ବାଚନ ବିଜେପି ସପକ୍ଷରେ ଯିବ ନା କଂଗ୍ରେସ ନିଜ ପତିଆରା ଜାହିର କରିବ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଲାଗି ଏକାଧିକ ସେମିଫାଇନାଲ ମ୍ୟାଚ ଭଳି ନିର୍ବାଚନ ହେବାର ଅଛି। ଏହି ନିର୍ବାଚନ ଫଳର ପ୍ରଭାବ ‘୨୪’ ସାଧାରଣ ନିର୍ବାଚନ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ନିର୍ବାଚନ ପାଇଁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ଆଧାରରେ ବିଜେପିର ପଲା ଭାରି କୁହାଯାଉଥିବା ବେଳେ କଂଗ୍ରେସ ପାଇଁ କର ବା ମର ଭଳି ସ୍ଥିତି। ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀ ସାମାନ୍ୟ ଏକାଠି ହେବା ଭଳି ମନେ ହେଉଛି। କିନ୍ତୁ ବିରୋଧୀଙ୍କ ମଧ୍ୟରେ ଏ ଉତ୍ସାହ କେତେ ଦିନ ରହିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୨୩ ମସିହାରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଓ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ କର୍ଣ୍ଣାଟକ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ଅଖିଳେଶ ଓ ମମତାଙ୍କ ‘୧୦୦+’ ମିଶନ ସଫଳ ହେଲେ ବିଜେପିକୁ ହିଁ ଘାଟା ହେବ। ଏଥିରେ କଂଗ୍ରେସର କୌଣସି ଫରକ ପଡ଼ିବ ନାହିଁ। ଏ ସବୁ ସାମ୍ଭାବ୍ୟ କ୍ଷତିକୁ ନେଇ ବିଜେପି ଅଧିକ ସତର୍କତାର ସହିତ ପଦକ୍ଷେପ ନେବା ସହ ଓ୍ୱାର୍ଡସ୍ତରରେ ନିର୍ବାଚନୀ ସମୀକ୍ଷା କରୁଛି ବିଜେପି।­­

ଆସନ୍ତା ମେ’ ମାସରେ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ହେବାକୁ ଯାଉଛି। କର୍ଣ୍ଣାଟକରେ ବିଜେପି ସରକାର ଥିବା ବେଳେ ଆସନ୍ତା ନିର୍ବାଚନରେ ମଧ୍ୟ କର୍ଣ୍ଣାଟକକୁ ଦଖଲରେ ରଖିବା ପାଇଁ ଚାହିଁବ ବିଜେପି। ଉଭୟ ରଣନୀତି ଓ ରାଜନୀତି ଦୃଷ୍ଟିରୁ କର୍ଣ୍ଣାଟକ ଶାସନ କ୍ଷମତା ବଜାୟ ରଖିବା ବିଜେପି ପାଇଁ ଜରୁରୀ। ସାଧାରଣ ନିର୍ବାଚନ ବେଳେ ଦକ୍ଷିଣକୁ ଜଗିବା ପାଇଁ ବେଙ୍ଗାଳୁରୁ ହିଁ ପ୍ରକୃଷ୍ଟ ସ୍ଥାନ। କାରଣ ସରକାରରେ ଥିବା ଦଳକୁ ଯେକୌଣସି ନିର୍ବାଚନ ଲଢ଼ିବା ଅପେକ୍ଷାକୃତ ସହଜ ହୋଇଥାଏ।

କର୍ଣ୍ଣାଟକ ହାତରୁ ଚାଲିଗଲେ ଦକ୍ଷିଣରେ ବିଜେପିର ଦବଦବା ଶେଷ ହୋଇଯିବ। କେରଳକୁ ଛାଡ଼ି ଦକ୍ଷିଣର ଅନ୍ୟ ରାଜ୍ୟ ଗୁଡ଼ିକରେ ଆଞ୍ଚଳିକ ଦଳ ହିଁ ଭରସା। ଏହା ଛଡ଼ା କର୍ଣ୍ଣାଟକରେ ଗତ ସାଧାରଣ ନିର୍ବାଚନରେ ୨୮ଟି ଆସନରୁ ବିଜେପି ୨୫ଟି ଆସନରେ ବିଜୟ ହାସଲ କରିଥିଲା। ଆସନ୍ତା ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାରୁ ଏଠାରେ ବିଜୟ ହାସଲ କରିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ ବୋଲି କୁହାଯାଉଛି। ଏଥିପାଇଁ ଏବେଠାରୁ ଲାଗିପଡ଼ିଛି ଦଳ।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ଯଦି ୟୁପିର କିଛି ଆସନ ବିଜେପି ହାତରୁ ଚାଲିଯାଏ, ତେବେ କଂଗ୍ରେସ ଏଠାରେ ଶାସନ କ୍ଷମତାକୁ ଫେରିବା ସହ ଦକ୍ଷିଣରେ ନିଜର ଆଧିପତ୍ୟ ପୁଣି ବିସ୍ତାର କରିବା ଆଶାରେ ରହିଛି।

ଆଉ ଏକ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆସନ୍ତା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ ଟିଆର୍‌ଏସର ସରକାର ରହିଛି। ତେଲେଙ୍ଗାନାରେ ବିଜେପିକୁ ବିଶେଷ କିଛି ଆଶା ନଥିଲେ ମଧ୍ୟ ହାଇଦ୍ରାବାଦ ଓ ସିକନ୍ଦରାବାଦ ଭଳି ମୁସଲିମ ଜନବହୁଳ ଅଞ୍ଚଳରେ ନିଜର ଦବ୍‌ଦବା ବଢ଼ାଇବା ପାଇଁ ଚାହିଁବ। ଏଠାରୁ ଯାହା ମିଳିବ ବିଜେପି ପାଇଁ ବୋନସ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଗତ ସାଧାରଣ ନିର୍ବାଚନରେ ମୋଟ ୧୭ଟି ଆସନରୁ ଟିଆର୍‌ଏସ୍‌ ୯ଟି ଆସନ ଜିତିଥିଲା। ପୂର୍ବ ନିର୍ବାଚନ ତୁଳନାରେ ୩ଟି ଅଧିକ ଆସନ ଜିତିଥିଲା ବିଜେପି। କଂଗ୍ରେସ ଏଠାରୁ ୩ଟି ଆସନ ଜିତିଥିଲା।

ରାଜସ୍ଥାନରେ କଂଗ୍ରେସର ସରକାର ଚାଲିଛି। ଏଠାରେ ବିଭିନ୍ନ ଲୋକପ୍ରିୟ ଯୋଜନା ସହ କ୍ଷମତା ବଜାୟ ରଖିବା ପାଇଁ ଗେହଲଟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଅବଶ୍ୟ ଦଳ ଭିତରେ ଗେହେଲଟଙ୍କର ସମସ୍ତେ ସମର୍ଥକ ନୁହନ୍ତି। ସଚିନ ପାଇଲଟଙ୍କ ପକ୍ଷରୁ ଗେହଲଟଙ୍କ ପ୍ରତି ଗୋଟେ ବଡ଼ ବିରୋଧ ରହିଛି। ଏହାର ଫାଇଦା ନେବା ପାଇଁ ବିଜେପି ଚେଷ୍ଟା ଚଳାଇଛି। ଗତଥର ବିଜେପି ଏଠାରେ ସରକାର ଗଠନ କରିବାରେ ବିଫଳ ହୋଇଥିଲେ ମଧ୍ୟ ସମସ୍ତ ୨୫ଟି ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା।

କିନ୍ତୁ ଗତ ୨ ଥର ଭଳି ଏଥର ବିଜେପି ସପକ୍ଷରେ ସେଭଳି ଜନସମର୍ଥନ ନାହିଁ। ତେଣୁ ଉତ୍ତରଭାରତରେ ନିଜର ଦବ୍‌ଦବା ଅକ୍ଷୁର୍ଣ୍ଣ ରଖିବା ଲାଗି  ବିଜେପି ରାଜସ୍ଥାନରେ ଯେମିତି ହେଲେ ବି କ୍ଷମତାକୁ ଫେରିବା ପାଇଁ ଚାହିଁବ। ଆସନ୍ତା ନଭେମ୍ବର ମାସରେ ଏଠାରେ ବିଧାନସଭା ନିର୍ବାଚନ ହେବାର ଅଛି।

ହିନ୍ଦୀ ଭାଷାଭାଷୀ ଭୋଟରଙ୍କ ଗଡ଼ ହେଲା ୟୁପି, ଏମ୍‌ପି, ଛତିଶଗଡ଼। ଏହାକୁ ହିନ୍ଦୀ ହାର୍ଟଲାଣ୍ଡ କୁହାଯାଉଥିବା ବେଳେ ଏଠାରେ ଗାଦି ଅକ୍ତିଆର କରିବା ଜାତୀୟ ରାଜନୀତି ପାଇଁ ଶକ୍ତିବର୍ଦ୍ଧକ ସାବ୍ୟସ୍ତ ହୁଏ। କାରଣ ମଧ୍ୟପ୍ରଦେଶ ହାତରୁ ଚାଲିଗଲେ ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ। ବିଶେଷ କରି ଏଠାରେ କଂଗ୍ରେସର ସ୍ଥିତି ଭଲ ରହିଛି।

ଗତ ନିର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିଥିଲେ ମଧ୍ୟ ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜରିଆରେ ଦଳରେ ବିଭାଜନ କରି ସରକାର ଗଠନ କରିବାରେ ସଫଳ ହୋଇଥିଲା। ଏଥର କଂଗ୍ରେସ ଏସବୁ ଆଶଙ୍କାକୁ ମୁକାବିଲା କରି ଲଢ଼େଇ କରିବ। ବିଜେପି ବିରୋଧୀ ଅନ୍ତଃସ୍ରୋତ ଯଦି କଂଗ୍ରେସ ସପକ୍ଷରେ ଯାଏ ତେବେ କଂଗ୍ରେସ ଏଠାରେ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ତେଣୁ ଦିଲ୍ଲୀ ଦଖଲ ପାଇଁ ଭୋପାଲ ଦଖଲ ବି ବିଜେପି ପାଇଁ ଜରୁରୀ। ମଧ୍ୟପ୍ରଦେଶରେ ଗତ ସାଧାରଣ ନିର୍ବାଚନରେ ବିଜେପି ମୋଟ ୨୯ଟି ଓ ସହଯୋଗୀ ୨୮ଟି ଆସନ ଜିତିଥିଲେ।

ଦୀର୍ଘ ୧୫ ବର୍ଷର ଶାସନ ପରେ ବିଜେପି ହାତରୁ ଛତିଶଗଡ଼ର ଶାସନ କଂଗ୍ରେସ ହାତକୁ ଆସିଥିଲା। କିନ୍ତୁ ଏଠାରେ ବିଜେପି ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ମୋଟ ୧୧ଟି ଆସନରୁ ବିଜେପି ୯ଟି ଜିତିଥିଲା। ଏଠାରେ ଏଥର କଂଗ୍ରେସ ସରକାର ବହୁତ ଲୋକପ୍ରିୟ ଯୋଜନା ହାତକୁ ନେଇଛନ୍ତି। ତେଣୁ ବିଜେପି ପାଇଁ ଏଠାରେ ପୂର୍ବ ଅପେକ୍ଷା ବହୁତ ଅଧିକ କସରତ କରିବାକୁ ପଡ଼ିବ ପରିଶ୍ରମରେ ଟିକେ ଉଣା ହେଲେ ବିଜେପି ହାତରୁ ଅନେକ ଗୁଡ଼ିଏ ଲୋକସଭା ଆସନ ଚାଲିଯିବାର ଆଶଙ୍କା ରହିଛି।

ଦଳୀୟ ଆଦର୍ଶ ଦୃଷ୍ଟିରୁ ଜମ୍ମୁକଶ୍ମୀର ମଧ୍ୟ ଦଖଲ କରିବା ବିଜେପି ପାଇଁ ଗୁରୁତ୍ଵପୂର୍ଣ୍ଣ। କାରଣ ଭାବପ୍ରବଣତା ଦୃଷ୍ଟିରୁ କଶ୍ମୀରକୁ ଅନେକ ବିଚାର କରନ୍ତି। ଏଠାରେ ବିଜେପି ହାରିଗଲେ କଂଗ୍ରେସର ସାଂଗଠନିକ ଶକ୍ତି ସହ ମନୋବଳ ବୃଦ୍ଧି ପାଇବ, ଯାହା ବିଜେପି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାଜନୀତି ସମୀକ୍ଷକ ମତ ଦେଉଛନ୍ତି। ଏହା ଛଡ଼ା ରାହୁଲଙ୍କ ଭାରତ ଯୋଡ଼ୋ ବିଜେପିର କଷ୍ଟକୁ ଆହୁରି ବଢ଼ାଇ ଦେଇଛି।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗୋଟିଏ ରେଖାରେ ଯୋଡ଼ି ହୋଇଛନ୍ତି। ବହୁ ଦୃଷ୍ଟିରୁ ଏହି ରେଖାରେ ୩ଟି ରାଜ୍ୟ ଅକ୍ତିଆର କରିବା ଗୁରୁତ୍ୱପୂର୍ଣ୍ଣ। ଏହି ୩ଟି ରାଜ୍ୟ ଯେଉଁ ଦଳର ଅକ୍ତିଆରକୁ ଆସିବ ତାକୁ ସାଧାରଣ ନିର୍ବାଚନ ସମୟରେ ପ୍ରାଶାସନିକ ସମସ୍ୟା କମ ସମ୍ମୁଖୀନ ହେବାକୁ ପଡ଼ିବ।

Tags: #Politics #IndiaPolitics #BJP #Congress #Election #PoliticalWar

Comment