ଓଡ଼ିଶାଲାଇଭ୍ ବ୍ୟୁରୋ

କେନାଲ ଭିତରକୁ ବରଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ପରମାଣପୁର ବିଶାଳଖିଣ୍ଡା ଗାଁ ନିକଟରେ। ବିଳମ୍ବିତ ରାତିରେ ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶୁକ୍ରବାର ଦିନ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଥିବା ୨ଜଣ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡ଼ଧରା ଗାଁର।

ଏହି ଦୁର୍ଘଟଣାଜନିକ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ସମସ୍ତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଗୁରୁବାର ରାତି ପ୍ରାୟ ୨ଟାରେ ସମ୍ବଲପୁର ଜିଲ୍ଲା ପରମାଣପୁର ଗାଁରେ ବିବାହ କାର୍ଯ୍ୟରେ ଯୋଗ ଦେଇ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବଡ଼ଧରା ଗାଁକୁ ଏକ ବୋଲେରୋ ଯୋଗେ ଫେରୁଥିଲେ ବରଯାତ୍ରୀ। ୧୦ ଜଣ ବରଯାତ୍ରୀଙ୍କୁ ଧରି ଯାଉଥିବା ବୋଲେରୋଟି ଭାରସାମ୍ୟ ହରାଇ ବିଶାଳଖିଣ୍ଡା ଗାଁ ନିକଟ ଶାନସ କେନାଲକୁ ଖସି ପଡ଼ିଥିଲା।

ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। ବିଳମ୍ବିତ ରାତିରେ ୬ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଡ୍ରାଇଭରର କୌଣସି ଖୋଜଖବର ମିଳିପାରୁ ନାହିଁ।

Tags: #Sambalpur #Accident #Death

Comment