ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନଠାରେ ଜଣେ ଓଡ଼ିଆ ଶ୍ରମିକ ପୁରୁଷୋତ୍ତମ ସାହୁଙ୍କର ମୃତ୍ୟୁ ହେବା ପରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତାଙ୍କ ପ୍ରଚେଷ୍ଠାରେ ଓଡ଼ିଶା ଫେରିଛି ମୃତଦେହ। ମୃତ ଶରୀର ବାହାରିନରୁ ବିମାନ ଯୋଗେ ଦିଲ୍ଲୀ ଏବଂ ସେଠାରୁ ବିଶାଖାପାଟଣା ବିମାନ ବନ୍ଦରରେ ପହଞ୍ଚଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ବାସଭବନରେ ପୁରୁଷୋତ୍ତମଙ୍କ ମରଶରୀର ପହଞ୍ଚିଛି।

ଛତ୍ରପୁର ଅଞ୍ଚଳର ପୁରୁଷୋତ୍ତମ ସାହୁ ବାହାରିନର ଏନଏସଏଚ କମ୍ପାନିରେ କାମ କରୁଥିଲେ। ଗତ ୧ ତାରିଖରେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। ପୁରୁଷୋତ୍ତମଙ୍କ ମୃତ୍ୟୁ ହୋଇଥିବା ଜଣିବା ପରେ ପରିବାର ଲୋକ ଶବ ଫେରାଇ ଆଣିବାକୁ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଡକ୍ଟର ଅରୁଣ ପ୍ରହରାଜଙ୍କୁ ଅନୁରୋଧ କରିଥିଲେ।

ପରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତାଙ୍କ ସହ ଅନ୍ୟ ସଦସ୍ୟମାନେ ଓଡ଼ିଶାକୁ ପୁରୁଷୋତ୍ତମଙ୍କ ମୃତଦେହ ପଠାଇବା ପାଇଁ ବାହାରିନ ସରକାର ଏବଂ ପୋଲିସଠାରୁ ଅନୁମତି ମାଗିଥିଲେ। ମୃତଦେହ ଓଡ଼ିଶା ପଠାଇବାକୁ ମଞ୍ଜୁରି ମିଳିବା ପରେ ଡକ୍ଟର ଅରୁଣ ପ୍ରହରାଜ ଏବଂ ଅନ୍ୟ ସଦସ୍ୟମାନେ ବାହାରିନରେ ଭାରତର ରାଷ୍ଟ୍ରଦୂତ ଏବଂ ସମ୍ପୃକ୍ତ କମ୍ପାନି ଅଧିକାରୀଙ୍କ ସହ ଯୋଗାଯୋଗ କରି ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ପକ୍ଷରୁ ଆବଶ୍ୟକ କ୍ଲିୟରାନ୍ସ ପାଇବା ପରେ ମୃତଦେହ ଓଡ଼ିଶା ପଠାଇବାକୁ ବ୍ୟବସ୍ଥା କରିଥିଲେ।

ପୁରୁଷୋତ୍ତମଙ୍କ ମୃତଦେହ ବିମନ ଯୋଗେ ବାହାରିନରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ବିଶାଖାପାଟଣା ବିମାନବନ୍ଦରରେ ଶୁକ୍ରବାର ରାତିରେ ପହଞ୍ଚି ଥିଲା। ଏହା ପରେ ଏକ ଆମ୍ବୁଲାନ୍ସ ଯୋଗେ ମରଶରୀର ପୁରୁଷୋତ୍ତମଙ୍କ ଗାଁକୁ ଯାଇଥିଲା। ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଡକ୍ଟର ପ୍ରହରାଜଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି।

ପୂର୍ବରୁ ବାରମ୍ବାର ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଦାବି କରୁଥିବା ଡକ୍ଟର ପ୍ରହରଜ ପୁଣିଥରେ ଏହି ଦାବି ଦୋହରାଇଛନ୍ତି। ଶୀଘ୍ର ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Tags: #OdiaMigrantdiesinBahrain #Deadbody #BahrainOdiaSamaj

Comment