ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର। ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରୀରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ଟାରୁ ଦିନ ୧୦ଟା, ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସାମଗ୍ରୀ କିଣି ହେବ। ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ୍ ନମ୍ବର ହେଉଛି ୭୬୫୫୮୦୦୭୬୦।

ବୁଧବାର ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସମ୍ବଲପୁରରେ ୧୪୪ ଧାରା ଜାରି କରାଯାଇଥିଲା। ଗୁରୁବାର ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ଵେ ସମ୍ବଲପୁରରେ ହିଂସା କମିନାହିଁ।

ବିଭିନ୍ନ ସ୍ଥାନରେ ହିଂସା ସହ ବ୍ୟାପକ ଜଳାପୋଡ଼ା ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଭୟ ସହ ଭକ୍ତି ମିଶା ପରିବେଶରେ ଶୁକ୍ରବାର ଦିନ ସମ୍ବଲପୁରରେ ପାରମ୍ପରିକ ହନୁମାନ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।

କ’ଣ ଥିଲା ପୂରା ଘଟଣା?

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବୁଧବାର ଦିନ ହନୁମାନ ଜୟନ୍ତୀ ସମନ୍ଵୟ ସମିତିର ବାଇକ ଶୋଭାଯାତ୍ରା ଉପରକୁ ପ୍ରଥମେ ପଥର ମାଡ଼ ଆରମ୍ଭ ହୋଇଥିଲା। ଏହିଠାରୁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

ଶୁକ୍ରବାର ରାତି ପ୍ରାୟ ୮ଟାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବାବେଳେ ଟାଉନ ଥାନା ଅନ୍ତର୍ଗତ ଦଳେଇପଡ଼ା ସଂଲଗ୍ନ ରିଂ ରୋଡ ନିକଟରେ କିଛି ଯୁବକ ବାଇକରେ ଆସି ଶୋଭାଯାତ୍ରାରେ ସାମିଲ ଥିବା କିଛି ଯୁବକଙ୍କୁ ଖଣ୍ଡା ଏବଂ ଭୁଜାଲିରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ରହିଛି। ମୃତ ଯୁବ ହେଲେ ପଲଟୁ ମିର୍ଦ୍ଧା। ଏହି ଘଟଣା ପରଠାରୁ କେତେକ ସ୍ଥାନରେ ଭଙ୍ଗାରୁଜା, ପୋଡ଼ାଜଳା ଆରମ୍ଭ ହୋଇଛି। ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର ସହର। ପରିସ୍ଥିତିରେ ସୁଧାର ଆଣିବା ଲାଗି ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

Tags: #Sambalpur #Curfew #Violence #Death #HanumanJayanti

Comment