ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଟଙ୍କଧର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ଲୁଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ଟଙ୍କଧର ନମୋହନ ସ୍କୁଲ ପଡ଼ିଆରୁ ଏକ ଦଳୀୟ ଶୋଭାଯାତ୍ରା ବାହାରିଥିଲା। ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ଶୋଭାଯାତ୍ରା।

ଏହା ପୂର୍ବରୁ ଗତ ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି। ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaAssemblyByelection #Nomination #BJD #BJP #Congress #TankadharTripathy

Comment