ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାରଠାରୁ ପୁଣିଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ବନ୍ଦ ରହିବାପରେ ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି। ଏବେ ସ୍କୁଲଗୁଡ଼ିକ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ।

ସୋମବାର ଦିନ ଓଡ଼ିଶାର ସବୁ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ହୋଇଛି। ଅନ୍ୟପଟେ ରାଜ୍ୟର ସବୁ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଖୋଲିଛି। ପୁଣିଥରେ ସ୍କୁଲ ଖୋଲିବା ନେଇ ଶନିବାର ଦିନ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସେହିପରି ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ପ୍ରବାହକୁ ଦେଖି ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍କୁଲଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସ୍ଥାଗୁଡ଼ିକୁ ତଦାରଖ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଖରାକୁ ନଜରରେ ରଖି ଜିଲ୍ଲାପାଳମାନେ ସ୍କୁଲରେ ପାଠପଢ଼ାର ସମୟକୁ ବଦଳାଇ ପାରବେ।

ଓଡ଼ିଶାରେ ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। ରାଜ୍ୟରେ ଭୀଷଣ ଖରା ଓ ହିଟ ୱେଭକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ଯାଏଁ ୫ ଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ। ଆଗକୁ ପରିସ୍ଥିତିକୁ ଦେଖି ଗ୍ରୀଷ୍ମ ଛୁଟି ଘୋଷଣା କରାଯିବ।

Tags: #Schools #Morningclass #Students #HeatWave #SMEOdisha

Comment