ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ ହିନ୍ଦୁ ପରିଷଦ (ଭିଏଚପି), ଓଡ଼ିଶା ଶାଖା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଓଡ଼ିଶା ବିଜେପି ଓ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଏହି ବନ୍ଦକୁ ସମର୍ଥନ ଦିଆଯାଇଛି।

ବୁଧବାର ଏହି ବନ୍ଦ ପ୍ରଭାବ ସମଗ୍ର ପଶ୍ଚିମ ଓଡ଼ିଶା ସମେତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଭଳି ୧୪ଟି ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଏଚପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ କରାଯାଉଥିବାବେଳେ ଦୋକାନବଜାର ବନ୍ଦ କରାଯାଇଛି। ଏହାସହ ଏଠାରେ ସ୍କୁଲ, କଲେଜ ଓ ବିଭିନ୍ନ ଅଫିସ ମଧ୍ୟ ବନ୍ଦ ରହିଛି। ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ।

ଭିଏଚପିର କର୍ମକର୍ତ୍ତାମାନେ ବୁଧବାର ସକାଳୁ ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର, ଦେବଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାରେ ପିକେଟିଂ କରିଥିଲେ। ଏଥିସହ ସକାଳୁ ଖୋଲିଥିବା ଦୋକାନଗୁଡ଼ିକୁ ବନ୍ଦ କରାଇଥିଲେ। ଏହାଛଡ଼ା ସେମାନଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ରାସ୍ତା ଅବରୋଧ କରାଯାଇଛି। ଏହା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଏନେଇ ଅନେକ ଯାତ୍ରୀ ହଇରାଣ ହେଉଛନ୍ତି।

“ସମ୍ବଲପୁରରେ ହନୁମାନ ଜୟନ୍ତୀ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରକୁ କିଛି ଅସାମାଜିକ ଲୋକ ପଥରମାଡ଼ କରିବା ସହ ଧାରୁଆ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ହିଂସାକାଣ୍ଡରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଏହାପରେ ଶୋଭାଯାତ୍ରାରେ ସାମିଲ ଥିବା ୨ ଜଣଙ୍କୁ ହତ୍ୟା କରାଯାଇଛି। ସରକାର ମଧ୍ୟ ଏନେଇ କିଛି କଠୋର ପଦକ୍ଷେପ ନେଇନାହାନ୍ତି। ଏହାର ପ୍ରତିବାଦରେ ଆଜି ଆମେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛୁ”, କହିଛନ୍ତି ଭିଏଚପିର ପଶ୍ଚିମ ଓଡ଼ିଶା ସଭାପତି ଭକ୍ତଚରଣ ସାହୁ।

ଅନ୍ୟପଟେ ପଶ୍ଚିମ ଓଡ଼ିଶା ବନ୍ଦକୁ ରାଜ୍ୟ ବିଜେପିର ସମର୍ଥନ ମିଳିବା ନେଇ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ ବିଜେପି ହିଂସାକୁ ଆହୁରି ଉସକାଉଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହାର ବିରୋଧରେ ବୁଧବାର ସନ୍ଧ୍ୟାରେ ବିଜେଡି ସାରା ଓଡ଼ିଶାରେ ଶାନ୍ତି ଶୋଭାଯାତ୍ରା କରିବ।

Tags: #SambalPurViolence #Strike #WesternOdisha #VishwaHinduParishad

Comment