ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଅଭିନେତ୍ରୀ ତନ୍ଦ୍ରା ରାୟ ୭୦/୮୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। କଳାକାର ପରିବାରରେ ଜନ୍ମ ହୋଇଥିବା ତନ୍ଦ୍ରାଙ୍କୁ ପ୍ରଥମେ ଅଭିନୟର ‘ଅ’ ଜଣାନଥିବା ସେ କହିଛନ୍ତି। କିନ୍ତୁ ଅଭିନୟ ପାଇଁ ତାଙ୍କର ଜନ୍ମ ହୋଇଥିବା ସେ ପରବର୍ତ୍ତୀ ସମୟରେ ମାନିଛନ୍ତି।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ଅନୁଭୂତି କହିବା ସମୟରେ ତନ୍ଦ୍ରା ରାୟ କହିଥିଲେ, “ଯେତେବେଳେ ଓଡ଼ିଆ ସିନେମା ‘ଚିଲିକା ତୀରେ’ରେ ମୁଁ ଅଭିନୟ କରିଥିଲି, ସେତେବେଳେ ଅଭିନୟ କ’ଣ ମୁଁ ଜାଣିନଥିଲି। ସେ ସମୟରେ ବି.ଏ ପଢ଼ୁଥିଲି। ପିଲାବେଳୁ ହି ମୁଁ ଚୁପଚାପ ସ୍ଵଭାବର ଥିଲି। ସେତେବେଳେ ଆମ ଘରକୁ ଫିଲ୍ମର ନିର୍ଦ୍ଦେଶକ ବିପ୍ଳବ ରାୟ ଚୌଧୁରୀ ଆସିଥିଲେ। ସେ ମୋର ସମ୍ପର୍କୀୟ ମାମୁଁ ଥିଲେ। ତେଣୁ ତାଙ୍କର ଏହି ସିନେମାରେ ଅଭିନୟ କରିବାକୁ ମତେ ସେ ପ୍ରଥମେ ଅଫର ଦେଇଥିଲେ। ସେତେବେଳେ ମନରେ ବହୁତ ଡର ଥିଲା। କିନ୍ତୁ ଅଭିନୟ କରିବି ବୋଲି ହଁ କରିଥିଲି।”

‘ଚିଲିକା ତୀରେ’ ପରେ ଅଭିନୟ ପ୍ରତି ତନ୍ଦ୍ରା ରାୟଙ୍କର ଆଗ୍ରହ ବଢ଼ିଥିଲା। ଅନ୍ୟ ବଡ଼ ବଡ଼ ଷ୍ଟାରମାନଙ୍କୁ ଦେଖି ସେ ଅଭିନୟ ଶିଖୁଥିଲେ। ଏହା ପରେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରର ଅଫର ଆସିବାକୁ ଲାଗିଲା। ପରିବାର ଲୋକ ମଧ୍ୟ ତାଙ୍କୁ ବେଶ୍‌ ସମର୍ଥନ କରୁଥିଲେ।

୭୦/୮୦ ଦଶକରେ ରୁପେଲି ପରଦାରେ ଛାଇ ହୋଇ ରହିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ତନ୍ଦ୍ରା ରାୟ। ନାୟିକା, ବଡ଼ ଭାଉଜ ଏବଂ ମା’, ଏମିତି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି ତନ୍ଦ୍ରା।

Tags: #TandraRay #Actress #OdiaCinema #OllywoodActress

LEAVE A REPLY

Please enter your comment!
Please enter your name here