ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ଶନିବାର ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହେବ। ସହରରେ ୯ ଦିନ ପରେ ପୁଣି ମୋବାଇଲ ଇଣ୍ଟରନେଟ ଚଳାଚଳ ସ୍ଵାଭାବିକ ହେବ। ଅନ୍ୟପଟେ ସୋସିଆଲ ମିଡିଆ ଉପରେ ଏବେ କଟକଣା ଜାରି ରହିବ। ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ସମ୍ବଲପୁରରେ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ଼ ଘଟଣାକୁ ନେଇ ହୋଇଥିବା ହିଂସାକାଣ୍ଡକୁ ପରଠୁ ସହରରେ ଇଣ୍ଟରନେଟ ସେବା ବନ୍ଦ କରଯାଇଥିଲା। ଅନ୍ୟପଟେ ବୁଧବାରଠାରୁ ସହରରେ କେବଳ ବ୍ରଡବ୍ୟାଣ୍ଡ ଓ ଲିଜ ଲାଇନରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା।

ସେହିପରି ଶନିବାର ଇଦ୍‌-ଉଲ୍-ଫିତର ଅବସରରେ ସମ୍ବଲପୁରରେ କର୍ଫ୍ୟୁକୁ ୧୪ ଘଣ୍ଟା ଯାଏଁ କୋହଳ କରାଯାଇଛି। ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଛି।

ଅନ୍ୟପଟେ ସହରର ପରିସ୍ଥିତିକୁ ଦେଖି ଇଦରେ କେବଳ ୧୩ଟି ମସଜିଦରେ ନମାଜ ପାଠ ପାଇଁ ଅନୁମତି ଦିଆଯାଇଛି। ଏହାକୁ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଛି। ତେବେ ଇଦ ଅବସରରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #SambalPur #Violence #Curfew #InternetBan #InternetServices

 

Comment