ଓଡ଼ିଶାଲାଇଭ୍ ବ୍ୟୁରୋ

 

ବିଜେଡିର ନୂଆ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ ହୋଇଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଅକ୍ଷୟ ତୃତୀୟା ଅବସରରେ ଏହି ଭବନର ଲୋକର୍ପଣ ହୋଇଛି।

“ଏହି ଶଙ୍ଖ ଭବନ ନୂଆ ତଥା ସଶକ୍ତ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରୁଥିବା ସବୁ ଲୋକଙ୍କ କେନ୍ଦ୍ର ସ୍ଥଳ ହେବ। ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହେବ। ଏହା କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ବରଂ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଭାବନାକୁ ଆଗକୁ ବଢ଼ାଇବ। ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ପ୍ରଚାର କରିବ ଏହି ଭବନ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଜୁ ବାବୁଙ୍କ ଆଦର୍ଶରେ ୧୯୯୭ ମସିହାରେ ବିଜେଡିର ଗଠନ ହୋଇଥିଲା। ସେଦିନର ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଏହି ଶଙ୍ଖ ଭବନ ଆମକୁ ପ୍ରେରଣା ଦେବ। ଏହା ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ।”

 

ବିଜେଡିର ଏହି ନୂଆ କାର୍ଯ୍ୟାଳୟ ଚାରି ମହଲା ବିଶିଷ୍ଟ। ପ୍ରଥମ ମହଲାରେ ୧ ହଜାରରୁ ଅଧିକ ଲୋକ କ୍ଷମତା ଏକ କନଭେନସନ ହଲ, ୨୫୦ ସିଟ କ୍ଷମତାର ଏକ ଅଡିଟୋରିୟମ ରହିଛି। ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ କନଫରେନ୍ସ ହଲର ବ୍ୟବସ୍ଥା କରାଯାଇଛି। ଏହି ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସ୍ଵତନ୍ତ୍ର କାର୍ଯ୍ୟାଳୟ ରହିଛି। ଏହାଛଡ଼ା ବିଜେଡି ଆଇଟି ସେଲ ପାଇଁ ଏକ କାର୍ଯ୍ୟାଳୟ କରାଯାଇଛି।

 

ବିଜେଡିର ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ସହିଦ ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ଫକୀମୋହନ ସେନାପତିଙ୍କ ଭଳି ମହାପୁରୁଷଙ୍କ ଚିତ୍ର ଲଗାଯାଇଛି। ଏହାଛଡ଼ା ସେମାନଙ୍କ ଉକ୍ତିଗୁଡ଼ିକୁ ଲେଖାଯାଇଛି। ଏହି ଭବନରେ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ କଳାକୃତିକୁ ରଖାଯିବ।

ରବିବାର ଦିନ ଶଙ୍ଖ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା, ରାଜ୍ୟର ୩୦ଟି ଜିଲ୍ଲାର ବିଜେଡି ବିଧାୟକ ଓ  ସାଂସଦମାନେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଜେଡିର ଛାତ୍ର ସଂଗଠନ, ମହିଳା ସଂଗଠନ, କୃଷକ ସଂଗଠନ ଭଳି ଅନ୍ୟାନ୍ୟ ସଂଘର ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #BJD #SankhaBhaban #NewHeadQuarter #Inauguration #Bhubaneswar

 

LEAVE A REPLY

Please enter your comment!
Please enter your name here