ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଇରଙ୍ଗପୁର ଯୁବକଙ୍କୁ ଜାମସେଦପୁରରେ ହତ୍ୟା କରାଯିବା ଘଟଣାର ପର୍ଦାଫାସ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ। ରାଇରଙ୍ଗପୁର ଭିକିଙ୍କୁ ଜାମସେଦପୁରଠାରେ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କମଳାକାନ୍ତ ସାଗର ଓ ତାଙ୍କ ପତ୍ନୀ ଖୁସବୁ ସାଗର।

ରାଇରଙ୍ଗପୁର ଗଡ଼ ବାସିନ୍ଦା ଡମ୍ବରୁଧର ମହାନ୍ତି ଓରଫ ଭିକିଙ୍କର ବର୍ଷକ ପୂର୍ବରୁ ଜାମସେଦପୁର ଅଞ୍ଚଳର ଖୁସବୁଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠଇଥିଲା। ହେଲେ ଖୁସବୁ ବିବାହିତ ଥିଲେ। ନିଜ ପ୍ରେମ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପାଇଁ ଭିକି ଖୁସବୁଙ୍କ ଉପରେ ଚାପ ପକାଇ ଆସୁଥିଲେ।

ପରିସ୍ଥିତି ଅଣାୟତ ହେବା ଦେଖି ଖୁସବୁ ଏ ସମ୍ପର୍କରେ ତାଙ୍କ ସ୍ଵାମୀ କମଳାକାନ୍ତଙ୍କୁ ଜଣାଇଥିଲେ। ପରେ ଦୁହେଁ ଭିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏପ୍ରିଲ ୨୧ ତାରିଖରେ ଭିକିଙ୍କୁ ଚକ୍ରାନ୍ତ କରି ଖୁସବୁ ଜାମସେଦପୁର ଆସିବାକୁ କହିଥିଲେ। ରାତିରେ ଖାଇବା ସମୟରେ ଭିକିଙ୍କୁ ମଦରେ ନିଶା ଔଷଧ ମିଶାଇ ଦେଇଥିଲେ। ଭିକି ବେହୋସ ହୋଇଯିବା ପରେ ଖୁସବୁ ଏବଂ ତାଙ୍କ ସ୍ଵାମୀ ଭିକିଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ୩ଟି ବ୍ୟାଗରେ ଭର୍ତ୍ତି କରି ରାଇରଙ୍ଗପୁର ଆଣିଥିଲେ। ସେହି ବ୍ୟାଗଗୁଡ଼ିକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ଏପଟେ ସ୍ଵାମୀ ନିଖୋଜ ହେବା ନେଇ ଗତ ମାର୍ଚ୍ଚ ୨୦ ତାରିଖରେ ରାଇରଙ୍ଗପୁର ଥାନାରେ ଏତଲା ଦେଇଥିଲେ ଭିକିଙ୍କ ପତ୍ନୀ ଇନୁଶ୍ରୀ। ଟାଉନଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଭିକି ହତ୍ୟାକାଣ୍ଡର ସୁରାକ ପାଇଥିଲା ପୋଲିସ। ଭିକିକୁ ଖୁସବୁ ଏବଂ ତାଙ୍କ ସ୍ଵାମୀ ଜାମସେଦପୁର ନେଇଯାଇଥିବା ଜାଣିବାକୁ ପାଇଥିଲା ପୋଲିସ।

ଏହା ପରେ ଉଭୟଙ୍କୁ ଥାନାକୁ ଡାକି ପୋଲିସ ପଚରା ଉଚରା କରିଥିଲା। ଏହି ସମୟରେ ଭିକିଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲେ ଖୁସବୁ ଏବଂ କମଳାକାନ୍ତ। ଅଭିଯୁକ୍ତ ଦମ୍ପତିଙ୍କ ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରୁ ଭିକିଙ୍କ ମାଂସ ଖଣ୍ଡ ଜବତ କରିଥିଲା। ପରେ ଜବତ ମାଂସ ଖଣ୍ଡକୁ ପରୀକ୍ଷା ପାଇଁ ବାରିପଦା ପଠାଇଥିଲା ପୋଲିସ।

ପରୀକ୍ଷା ପରେ ଏହି ମାଂସ ଖଣ୍ଡ ଭିକିଙ୍କର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହା ପରେ ହତ୍ୟାକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ। ଭିକି ହତ୍ୟା ମାମଲାରେ ଖୁସବୁ ଏବଂ କମଳାକାନ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିବା ସମୟରେ ଭିକି ହତ୍ୟାକାଣ୍ଡର କାହାଣୀ କହିଥିଲେ ଏହି ଦମ୍ପତି। ଭିକିଙ୍କୁ ହତ୍ୟା କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି।

Tags: #MurderCase #RairangpurMurderCase #PoliceInvestigation #TwoArrest

Comment