କାନନ ଦାଶ

 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ। 

ଓଡ଼ିଶାରେ ସ୍ୱାଧୀନତାର ପରବର୍ତ୍ତୀ ପିଢ଼ି ପାଇଁ ସ୍ୱତନ୍ତ୍ର ସମ୍ମାନ ଦାବି କରୁଥିବା ଜଣେ ମହାପୁରୁଷ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ।  ତାଙ୍କୁ ଆମେ ବିଭିନ୍ନ ନାମରେ ଜାଣୁ। ଉତ୍କଳଗୌରବ, ମିଷ୍ଟର ଦାସ ଓ ମଧୁ ବାରିଷ୍ଟର ରୂପେ। ଭାଷାଭିତ୍ତିକ ରାଜ୍ୟ ବା ପ୍ରଦେଶ ଗଠନକୁ ସେ ନେତୃତ୍ୱ ଦେଇଥିଲେ। ସମଗ୍ର ଦେଶରେ ପ୍ରଥମେ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ହାସଲ କରିଥିଲା ଓଡ଼ିଶା।

ଦାବି ହାସଲର ଦୁଇବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ମୃତ୍ୟୁଶଯ୍ୟାରେ ପଡିରହିଥିବା ଅବସ୍ଥାରେ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ହାସଲ କରିଥିଲା ଓଡ଼ିଶା। ଦାବି ହାସଲର ଦୁଇବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ମୃତ୍ୟୁଶଯ୍ୟାରେ ପଡ଼ିରହିଥିବା ଅବସ୍ଥାରେ ସ୍ୱତନ୍ତ୍ର ରାଜ୍ୟ ଗଠନର ସ୍ୱୀକୃତି ପତ୍ର ପାଇଥିଲେ ଇଂରେଜ ସରକାରଙ୍କଠାରୁ। ତାଙ୍କର ଏହି ଉଦ୍ୟମ ପଛରେ କେବଳ ଓଡ଼ିଶାର ସ୍ୱତନ୍ତ୍ର ଭୌଗୋଳିକ ସ୍ଥିତି ହାସଲର ଉଦ୍ଦେଶ୍ୟ ନଥିଲା। ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ମହାନ ସଂକଳ୍ପ ସେ ନେଇଥିଲେ।

ଓଡ଼ିଆଙ୍କ ଶିଳ୍ପ, କଳା, ଭାସ୍କର୍ଯ୍ୟ ଓ ଐତିହ୍ୟର ସ୍ୱାତନ୍ତ୍ର୍ୟକୁ ଅକ୍ଷୁର୍ଣ୍ଣ ରଖିବା ସକାଶେ ସେ ବିପୁଳ ଅର୍ଥ ବ୍ୟୟ କରି ଅମୀରରୁ ଫକିର ହୋଇଥିଲେ। ଏହି ଏକନିଷ୍ଠ ସାଧନାରେ ଯେଉଁମାନେ ସହଯୋଗର ହାତ ବଢ଼ାଇଥିଲେ ସେମାନଙ୍କୁ ସେ ଆପଣାଇ ନେଇ ଜାଗ୍ରତ କରିଥିଲେ ଜନମତକୁ। ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା- ଏହି ଭାଷାଭିତ୍ତିକ ରାଜ୍ୟ ଗଠନ ପ୍ରତି ସେତେବେଳେ ସ୍ୱାଧୀନତା ଆନ୍ଦୋଳନକୁ ନେତୃତ୍ୱ ଦେଉଥିବା କଂଗ୍ରେସଠାରୁ ଆଶା କରାଯାଉଥିବା ସମର୍ଥନ ମିଳିନଥିଲା। ତାହାର ପ୍ରଭାବ ମଧ୍ୟ ପଡ଼ିଥିଲା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ କର୍ଣ୍ଣଧାର ସାଜିଥିବା କଂଗ୍ରେସ ନେତାଙ୍କ ଉପରେ।

ଏହି ଘଟଣାକ୍ରମ କେବଳ ମଧୁବାବୁଙ୍କ ଆହତ କରିନଥିଲା, କଂଗ୍ରେସର ଜାତୀୟ ଆନ୍ଦୋଳନରୁ ପୃଥକ ହେବା ପାଇଁ ତାଙ୍କୁ ଅନୁପ୍ରେରିତ କରିଥିଲା। ସ୍ଥଳବିଶେଷରେ ଶୀର୍ଷ କ୍ଷମତାରେ ଥିବା ଇଂରେଜ ପଦାଧିକାରୀଙ୍କ ସହ ଯୋଗସୂତ୍ରରେ ରହି ସେ ଓଡ଼ିଶାର ଯଥାର୍ଥ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଏହି ଉଦ୍ୟମ କ୍ରମେ ଫଳପ୍ରସୂ ହେବାରେ ଲାଗିଲା। ଦେଶ ସ୍ୱାଧୀନତା ହାସଲ କରିବା ପରେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବପର ବୋଲି କଂଗ୍ରେସ ମତ ଦେଇଥିବା ବେଳେ ତାହାର ୧୧ ବର୍ଷ ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ଯଦି କେହି ଦାବି କରେ ତାହାର ସେ ଯଥାର୍ଥତା ଅଛି, ସ୍ୱୀକାର କରିବାକୁ ହେବ।

ଆମେ ଏଠାରେ କେତୋଟି କଥା ଉଲ୍ଲେଖ କରିବୁ ଯାହାର ଯଥାର୍ଥତା ସେତେବେଳେ ମଧୁବାବୁ ବୁଝିଥିଲେ; ଯେଉଁଥିପାଇଁ ସେ କଂଗ୍ରେସ ଉପରେ ନିର୍ଭର ନ କରି ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ନିଜ ଶୈଳୀରେ ନିୟନ୍ତ୍ରଣ କରିଥିଲେ। ୧୯୪୭ ଅଗଷ୍ଟ୧୫ରେ ଦେଶ ସ୍ୱାଧୀନ ହେବା ପରେ ପରେ ଡିସେମ୍ବର ୧୪ରେ ୨୫ଟି ଦେଶୀୟ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ହୋଇଥିଲା।

ଅବଶ୍ୟ ବିଭିନ୍ନ କାରଣରୁ ମୟୂରଭଞ୍ଜର ମିଶ୍ରଣ ହୋଇଥିଲା ବର୍ଷକ ପରେ। ସିଂହଭୂମି ଜିଲ୍ଲାର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଷଢ଼େଇକଳା ଓ ଖରସୁଅଁକୁ ନେଇ ପଡୋଶୀ ରାଜ୍ୟ ବିହାର ସହ ବାଦବିବାଦ ଲାଗି ରହିଥିଲେ ମଧ୍ୟ ୧୯୪୮ ଜାନୁୟାରୀ ପହିଲାରେ ତାହା ଓଡ଼ିଶାରେ ମିଶିଥିଲା। ତେବେ ଏଠାରେ ମନେ ରଖିବାକୁ ହେବ ଯେ ଦେଶ ସ୍ୱାଧୀନତା ଲାଭ କରୁ କରୁ ରାଜ୍ୟ କଂଗ୍ରେସ ନେତୃତ୍ୱରେ କ୍ଷମତା କନ୍ଦଳ ଅତି ତୀବ୍ର ହୋଇଥିଲା। ଜାତୀୟ ରାଜନୀତିରେ ବିଶେଷ କ୍ଷମତା ଥିବା ବିହାର ନେତା ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତାପ ଯୋଗୁଁ ଷଢ଼େଇକଳା ଓ ଖରସୁଆଁ ମାତ୍ର ୪ ମାସ ପରେ ପୁଣି ଓଡ଼ିଶାକୁ ବିଚ୍ଛିନ୍ନ ହୋଇଗଲା।

ଏପରିକି ରାଜ୍ୟ ପୁନର୍ଗଠନ ସକାଶେ ୧୯୫୩ ରେ ଗଠିତ ସୀମା କମିଶନଙ୍କ ରିପୋର୍ଟରେ ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାକୁ ଫେରାଇବା ପାଇଁ କିଛି ସ୍ପଷ୍ଟ ମତାମତ ଦିଆଯାଇନଥିଲା। ଏହା ବିରୋଧରେ ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ମୁଣ୍ଡ ଟେକିଥିବା ଆନ୍ଦୋଳନକୁ ବଳପ୍ରୟୋଗ କରି ତତ୍କାଳୀଳ କଂଗ୍ରେସ ସରକାର ଚପାଇ ଦେଲେ। ସେତେବେଳେ ପୁଲିସ ଗୁଳିର ଶିକାର ହୋଇ ସହିଦ୍ ହୋଇଥିଲେ ସୁନିଲ ଦେ ଓ ବେଙ୍ଗପଣିଆ। ତେଣୁ ଦେଶ ସ୍ୱାଧୀନ ହେବାପର୍ଯ୍ୟନ୍ତ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସକାଶେ ଅପେକ୍ଷା କରିବାକୁ କଂଗ୍ରେସ ଦେଇଥିବା ପରାମର୍ଶକୁ ଅଗ୍ରାହ୍ୟ କରି ମଧୁବାବୁ ନିଜ ଶୈଳୀରେ ଲଢ଼ିଥିଲେ।

Madhusudan Das

ବିଭିନ୍ନ ପ୍ରସଙ୍ଗରେ ସେ ଇଂରେଜ ସରକାରଙ୍କୁ ସମର୍ଥନ ଦେଉଥିବାରୁ ତାଙ୍କୁ କିଛି  ଲୋକ ଗୋଡ଼ାଣିଆ ସମାଲୋଚନା କରିଥିଲେ ମଧ୍ୟ ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହାସଲ ପାଇଁ ନିନ୍ଦା ଅପବାଦକୁ ଭ୍ରୁକ୍ଷେପ ନକରି ସେ ଅଗ୍ରସର ହୋଇଥିଲେ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ରାଜ୍ୟକୁ ନେତୃତ୍ୱ ଦେବା ପାଇଁ  ମଧୁବାବୁ କି ଗୋପବନ୍ଧୁ ନଥିଲେ। ଯେଉଁଠି ଷଢ଼େଇକଳା ଓ ଖରସୁଆଁ ଓଡ଼ିଶାରେ ମିଶ୍ରଣର ୪ ମାସ ପରେ ତାହା ପୁଣି ବିହାରକୁ ଫେରିଯାଇଛି। ମଧୁବାବୁ ନଥିଲେ ଏଭଳି ନେତୃତ୍ୱଙ୍କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନର ସ୍ଥିତି କ’ଣ ଯେ ହୋଇଥାଆନ୍ତା ତାହା ସହଜରେ ଅନୁମାନ କରାଯାଇପାରେ।

ଗୋବିନ୍ଦ ବଲ୍ଲଭ ଓରଫ ମଧୁସୂଦନ ଦାସ କେଉଁଠି ଜନ୍ମଲାଭ କରିଥିଲେ ଓ ତାଙ୍କ ପିତାମାତା କିଏ ତଥା ବାଲ୍ୟକାଳର ଶିକ୍ଷା ସମ୍ପର୍କରେ ଏଠାରେ ଉଲ୍ଲେଖ କରିବାର ଅବକାଶ ନାହିଁ। ଉଚ୍ଚଶିକ୍ଷା ହାସଲ ପାଇଁ ସମସ୍ତଙ୍କ ବାରଣ ସତ୍ତ୍ୱେ ସେ କଲିକତା ଚାଲିଗଲେ। ନିଜ ଶିଙ୍ଘରେ ମାଟି ତାଡ଼ି ସେ ସେଠାରେ ବି.ଏ., ଏମ.ଏ. ଓ ବି.ଏଲ୍. ଯୋଗ୍ୟତା ହାସଲ କଲେ। ଏହିସବୁ ଯୋଗ୍ୟତା ହାସଲ କ୍ଷେତ୍ରରେ ସେ ଥିଲେ ପ୍ରଥମ ଓଡ଼ିଆ। ତାଙ୍କ ଦ୍ୱାରା ଲିଖିତ ଇଂରାଜୀ ବ୍ୟାକରଣ ଲୋକପ୍ରିୟତା ଦୃଷ୍ଟିରୁ ଏକାଧିକ  ସଂସ୍କରଣରେ ମୁଦ୍ରିତ ହୋଇଥିଲା। ଇଂରାଜୀ ଭାଷା ଓ ସାହିତ୍ୟରେ ଅସମ୍ଭବ ପାଣ୍ଡିତ୍ୟ ଯୋଗୁଁ ସାର୍ ଆାଶୁତୋଷ ମୁଖୋପାଧ୍ୟଙ୍କ କେବଳ ଗୃହ ଶିକ୍ଷକ ହୋଇନଥିଲେ ସାଧାରଣରେ ତାଙ୍କର ଯୋଗ୍ୟତା ସ୍ୱୀକୃତି ଲାଭ କରିଥିଲା। ଏତେ ଯଶ ଓ ସ୍ୱୀକୃତି ମାଧ୍ୟମରେ ସେ କଲିକତାରେ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇ ବେଶ୍ ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇଥିଲେ।

ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ ତେଜ୍ୟପୁତ୍ର ହୋଇ ପରିବାରଠାରୁ ଦୂରେଇ ଯାଇଥିଲେ ମଧ୍ୟ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ଭଲପାଇବା ଏତେ ତୀବ୍ର ଥିଲା ଯେ ସେ ଫେରିଆସିବାକୁ ବାଧ୍ୟ ହୋଇଥିଲେ। ସୌଦାମିନୀଙ୍କ ପରଲୋକ ପରେ ତାଙ୍କର ୫ ବର୍ଷର ବୈବାହିକ ଜୀବନର ଅବସାନ ଘଟିଲା। ବିଧିର ବିଧାନ ବଡ଼ ବିଚିତ୍ର। ସତେ ଯେପରି ସୌଦାମିନୀଙ୍କ ବିଛେଦ ହିଁ ଅପେକ୍ଷା କରିଥିଲା ତାଙ୍କ ଜୀବନଧାରାରେ ନୂଆ ମୋଡ଼ ଦେବା ପାଇଁ। ଏହି ଦୁଃଖଦ ଘଟଣାର ଦୁଇବର୍ଷ ପରେ ସେ ୧୮୮୦ ରେ ଓଡ଼ିଶାରେ ଓକିଲାତି କରିବାକୁ କଟକ ଆସିଲେ। ଓଡ଼ିଶାର ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ଏବଂ ରାଜ୍ୟର ଜନତାଙ୍କ ମନରେ ଜାତିପ୍ରେମ ଉଦ୍ରେକ କରିବା ସକାଶେ ସେ ୧୮୮୨ରେ ଗଢ଼ିଲେ ‘ଉତ୍କଳସଭା’।

ଜାତୀୟ କଂଗ୍ରେସ ଗଠନ ହେବାର ତିନିବର୍ଷ ପୂର୍ବରୁ ଆଞ୍ଚଳିକ ସ୍ତରରେ ତାଙ୍କର ଏହି ସଂଗଠନ ସେ ସମୟର ବୁଦ୍ଧିଜୀବୀଙ୍କୁ ଆକର୍ଷିତ କରିଥିଲା ଦେଶ ଓ ଜାତି ପାଇଁ କିଛି କରିବା ସକାଶେ। ତେବେ ଏଠାରେ ଉଲ୍ଳେଖଯୋଗ୍ୟ କି ଓଡ଼ିଆ ଭାଷାଭାଷୀଙ୍କୁ ଐକ୍ୟବଦ୍ଧ କରିବା ଉଦ୍ଦେଶ୍ୟରେ ପ୍ରଥମ ଜନଜାଗରଣ ଘଟିଥିଲା ଘୁମସରରେ। ୧୮୭୦ ସେପ୍ଟେମ୍ବର ମାସରେ  ହୋଇଥିବା ଏହି ବିଶାଳ ସାଧାରଣ ସଭା ଥିଲା ସ୍ୱତନ୍ତ୍ର ଓଡ଼ିଶା ଗଠନ ଉଦ୍ୟମର ଆଦ୍ୟପର୍ବ। ମାନ୍ଦ୍ରାଜ ପ୍ରେସିଡେନ୍ସିରେ ଥିବା ଓଡ଼ିଆ ଭାଷାଭାଷୀ ଦକ୍ଷିଣାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ୍  କରିବା ପାଇଁ ୧୯୦୧ରେ ଅନୁଷ୍ଠିତ ହୋଇଥିଲା ରମ୍ଭା ସମ୍ମିଳନୀ। ତାହାହିଁ ଥିଲା ଉତ୍କଳ ସମ୍ମିଳନୀ ଗଠନର ଭିତ୍ତିଭୂମି।

 

 

୧୯୦୨ରେ ଗଞ୍ଜାମ ଜାତୀୟ ସମିତିର ଦୁଇଦିନିଆ ଅଧିବେଶନ ପରେ ୧୯୦୩ରେ ଆତ୍ମପ୍ରକାଶ କଲା ଉତ୍କଳ ସମ୍ମିଳନୀ। ସେହି ସମୟରେ  ବଙ୍ଗଳା ପ୍ରେସିଡେନ୍ସିର ବିଭାଜନ ଘଟିବାରୁ ବିହାରଠାରୁ ପୃଥକ ହୋଇ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନ ମୁଣ୍ଡ ଟେକିଲା। ମଧୁବାବୁ କିଛି ରାଜା-ମହାରାଜା ଓ ଜମିଦାରଙ୍କୁ ଉତ୍କଳ ସମ୍ମିଳନୀରେ ସଂପୃକ୍ତ କରି ଜନ ଜାଗରଣର କ୍ଷେତ୍ର ପ୍ରସ୍ତୁତ କରିଥିଲେ।

ଆଞ୍ଚଳିକ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟର କିଛି କଂଗ୍ରେସ ନେତା ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ  ମଧୁବାବୁ କିଛି ଅନୁଗତଙ୍କୁ ସାଙ୍ଗରେ ଧରି ସ୍ୱତନ୍ତ୍ର ରାଜ୍ୟ ଗଠନ ଅଭିଯାନକୁ ଜାରି ରଖିଲେ। ସାଇମନ କମିଶନଙ୍କୁ ନୀତିଗତ ଭାବେ କଂଗ୍ରେସ ବିରୋଧ କରି କଳାପତାକା ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାର ଦାବି ଉପସ୍ଥାପନ ସକାଶେ ମଧୁବାବୁ, ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ପାଟନାରେ ତାଙ୍କୁ ସ୍ୱାଗତ କରି ସ୍ମାରକପତ୍ର ଦେଇଥିଲେ। କମିଶନଙ୍କ ରିପୋର୍ଟରେ ବିହାର- ଓଡ଼ିଶାକୁ ଏକତ୍ର ରଖିବା ପଛରେ ଥିବା କୃତ୍ରିମତା ସମ୍ପର୍କରେ ଯେଉଁ ପ୍ରତିକୂଳ ମତାମତ ମିଳିଲା ସେଥିରେ ଓଡ଼ିଶା ଦାବିର ଯଥାର୍ଥତା ସ୍ୱୀକୃତି ଲାଭ କଲା। ସେହି ଦାବି ଅନୁଧ୍ୟାନ ସକାଶେ ଅଟଲିଙ୍କ ନେତୃତ୍ୱ ସବକମିଟି ଗଠିତ ହେଲା।

ଓଡ଼ିଶାର ଏହି ଦାବି ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବା ପାଇଁ ଆହୁରି ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୩୦ ନଭେମ୍ବରରେ ଅନୁଷ୍ଠିତ ଲଣ୍ଡନ ପ୍ରଥମ ଗୋଲଟେବୁଲ ବୈଠକର ଚିଠା ପ୍ରସ୍ତାବରେ ମୁସଲିମ ଲିଗ ପକ୍ଷରୁ ଆଗତ ସ୍ୱତନ୍ତ୍ର ସିନ୍ଧୁ ପ୍ରଦେଶ ଗଠନ ଦାବି ସ୍ଥାନ ପାଇଥିବା ବେଳେ ଓଡ଼ିଶା ପ୍ରସଙ୍ଗର ନାମ ନିଶାନ ନଥିଲା। କାରଣ ସେତେବେଳେ ରାଜ୍ୟରେ ସକ୍ରିୟ ଥିବା କଂଗ୍ରେସ ସଂଗଠନ ଜାତୀୟ ନେତୃତ୍ୱ ଦ୍ୱାରା ପରିଚାଳିତ ହେଉଥିବାରୁ ସ୍ୱତନ୍ତ୍ର ଓଡ଼ିଶାରାଜ୍ୟ ଗଠନ ଦାବି ନ୍ୟାୟୋଚିତ ସମର୍ଥନ ପାଇଥିଲା।

ମଧୁବାବୁଙ୍କ ପରାମର୍ଶ କ୍ରମେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଗୋଲଟେବୁଲ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିକୁ ଦେଖି ଅସହାୟ ହୋଇପଡ଼ିଥିଲେ। ତାଙ୍କ ନିକଟରେ ପ୍ରସ୍ତୁତ ଥିବା ତଥ୍ୟ ଓ ଭାଷଣ ଉପସ୍ଥାପନ କରିବାର ସୁଯୋଗ ମିଳିବାରୁ ମହାରାଜ କୃଷ୍ଣଚନ୍ଦ୍ର ନିଜର ନେତୃତ୍ୱ ଓ ବ୍ୟକ୍ତିତ୍ୱର ପରାକାଷ୍ଠା ବଳରେ ଓଡ଼ିଶା ପ୍ରସଙ୍ଗର ଗୁରୁତ୍ୱ ସଂପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚିଠା ପ୍ରସ୍ତାବରେ ଏହା ସ୍ଥାନ ପାଇବାରୁ ବୈଠକର ନିଷ୍ପତ୍ତି ଅନୁଯାୟୀ ୧୯୩୧ ସେପ୍ଟେମ୍ବର ୧୮ ରେ ଓଡ଼ିଶା କମିଟି ଗଠିତ ହେଲା। ଏସପି ଓ’ଡ଼ନେଲଙ୍କ ଅଧ୍ୟକ୍ଷତାରେ ଗଠିତ  କମିଟିରେ ଓଡ଼ିଶାରୁ ସହଯୋଗୀ ସଭ୍ୟ ରୂପେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ସଚ୍ଚିବାନନ୍ଦ ସିହ୍ନା ଓ ରାୟବାହାଦୂର ସିଭିଏସ୍ ନରସିଂହ ରାଜଗୁରୁ ସ୍ଥାନ ପାଇଲେ।

 

୧୯୩୨ ଏପ୍ରିଲ ୧୯ରେ ଓ’ଡ଼ନେଲ୍ କମିଟି ଦେଇଥିବା ରିପୋର୍ଟ ସମ୍ପୂର୍ଣ୍ଣ ରୂପେ  କାର୍ଯ୍ୟକାରୀ  ହୋଇପାରିଲାନି। ପ୍ରସ୍ତାବିତ ସ୍ୱତନ୍ତ୍ର ଓଡ଼ିଶାର ସୀମା ୩୩,୦୦୦ ମର୍ଗମାଇଲରୁ ୨୧,୫୪୫ ବର୍ଗ ମାଇଲକୁ ସଙ୍କୁଚିତ ହେଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୩ରେ ଓଡ଼ିଶା ପ୍ରଶାସନିକ କମିଟି ସାର ଜନ୍ ଅଷ୍ଟିନ ହବାକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇ ୧୯୩୬ ଏପ୍ରିଲ ପହିଲାରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଜିଲ୍ଳାକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ରୂପ ନେଲା।

ପ୍ରସ୍ତାବିତ ରାଜ୍ୟ ଗଠନ ସାକାର ଦେବା ପୂର୍ବରୁ ୧୯୩୪ ଫେବୃଆରୀ ୩ରେ କୁଳବୃଦ୍ଧ ମଧୁସୂଦନଙ୍କ ଦେହାନ୍ତ ହୋ‍ଇଥିଲା। ବୟସର ତାଡ଼ନା ଓ ପେଟ ରୋଗର ପୀଡ଼ନ ମଧ୍ୟରେ ମଧୁବାବୁଙ୍କୁ ଓ’ ଡନେଲ କମିଟି ରିପୋର୍ଟର ତଥ୍ୟ ଶୁଣାଇଥିଲେ ବ୍ରଜସୁନ୍ଦର। ପ୍ରତିକୂଳ ଉପସ୍ଥିତିରେ ନିରବଚ୍ଛିନ୍ନ ଉଦ୍ୟମ ମାଧ୍ୟମରେ ମାତୃଭାଷା ଓ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ସେ ଚଳାଇଥିବା ସଂଗ୍ରାମର ସଫଳତା ତାଙ୍କୁ ଶାନ୍ତିରେ ଚିର ବିଶ୍ରାମ ନେବାକୁ ପଥ କଢ଼େଇ ନେଇଥିଲା।

ମଧୁବାବୁ ବହୁ କ୍ଷେତ୍ରରେ ପ୍ରଥମ ଓଡ଼ିଆ। ଶିକ୍ଷାଗତ ଯୋଗ୍ୟତାଠାରୁ ଆରମ୍ଭ କରି ପେସା ଓ ପ୍ରତିନିଧିତ୍ୱରେ ସେ ଥିଲେ ସମସ୍ତଙ୍କଠାରୁ ଆଗରେ। ବିଶେଷକରି ଓକିଲ ହିସାବରେ ବିପୁଳ ଉପାର୍ଜିତ ରାଶି ମାତୃଭୂମିର କଲ୍ୟାଣ ପାଇଁ ଅକାତରରେ ଖର୍ଚ୍ଚ କରିଥିଲେ। ବ୍ରିଟିଶ କମ୍ପାନୀ ସହ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇ ସେ ଗଢ଼ିଥିଲେ ଉତ୍କଳ ଟ୍ୟାନେରୀ। ଉଚ୍ଚମାନ ଓ କାରିଗରି କଳା କୌଶଳରେ ନିର୍ମିତ ଜୋତା  ବିନିମୟରେ ବ୍ରିଟିଶ କମ୍ପାନିର ଲୋଭନୀୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ବିପୁଳ କ୍ଷତି ସହିଥିଲେ ମଧ୍ୟ ମଧୁବାବୁ ସାଲିସ୍ କରିନଥିଲେ।

ସେହିଭଳି କଟକ ତାରକସୀ କାମକୁ ପ୍ରସିଦ୍ଧି ଦେବା ପାଇଁ  ସେ ମୁଠା ମୁଠା ଅର୍ଥ ଖର୍ଚ୍ଚ କରିଥିଲେ। ଶେଷ ଜୀବନରେ ଏଥିସକାଶେ କରିଥିବା ଋଣରୁ ମୁକ୍ତି ପାଇନଥିଲେ। ନିଜେ ରହିଥିବା ଘରକୁ ମଧ୍ୟ ବନ୍ଧକମୁକ୍ତ କରିପାରିଲେନି। ତଥାପି ସେ ଅପରାଜେୟ ସେନାପତି। ତାଙ୍କର ଅମଳିନ ସ୍ମୃତି ପ୍ରତି ପ୍ରତ୍ୟେକ ଓଡ଼ିଶାର ମୁଣ୍ଡ ଆପେ ଆପେ ନଇଁଯିବ।

(ସୌଜନ୍ୟ – ଉତ୍କଳ ଗୌରବ- ୨୦୧୭)

Tags: #MadhuBabujayanti #UtkalGouravMadhusudanDas #MadhuBabu #ଓଡ଼ିଶା #ମଧୁବାବୁ #ଉତ୍କଳଟ୍ୟାନେରୀ #ସ୍ୱତନ୍ତ୍ରଉତ୍କଳପ୍ରଦେଶ

Comment