ଓଡ଼ିଶାଲାଇଭ ବ୍ୟୁରୋ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ।

(କଟକରୁ ପ୍ରଣବ କୁମାର ନନ୍ଦୀ): ଯେଉଁଠି ମଧୁବାବୁଙ୍କ କଥା ଉଠେ ସେଇଠି ମଧୁବାବୁଙ୍କ ଜୋତା କାରଖାନା ଉତ୍କଳ ଟାନେରୀ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାର ପରିସରକୁ ଆସେ। ହେଲେ ଏବେ ଏହା ଲୋକଙ୍କ ମନରୁ ପାସୋରୀ ଗଲାଣି। କଟକରେ ଉତ୍କଳ ଟ୍ୟାନେରୀ କେଉଁଠାରେ ଥିଲା ତାହା ଆଜି ଠିକସେ କେହି କହି ପାରୁନାହନ୍ତି। ବିକାଶ କ୍ଷେତ୍ରରେ ଏକ ଉଦାହରଣ ପାଲଟିଥିବା ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ଇତିହାସରୁ ହଜିଗଲାଣି।

ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଏକାଧାରରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି। ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ।

ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା। ଏହାଛଡ଼ା ଓଡ଼ିଶାରେ ଚମଡ଼ା ଶିଳ୍ପର ବିକାଶ ନିମନ୍ତେ ମଧୁବାବୁ ‘ଉତ୍କଳ ଟ୍ୟାନେରୀ’ ପ୍ରତିଷ୍ଠା କରିଥିଲେ। ଭାରତରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଏହା ଆଦ୍ୟ ସୋପାନ ଥିଲାବୋଲି ସାଧାରଣରେ ପରିଗଣିତ ହୋଇଥାଏ।

ତତ୍କାଳୀନ ଓଡ଼ିଶାର ହସ୍ତଶିଳ୍ପୀମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି କରି ହସ୍ତଶିଳ୍ପୀମାନଙ୍କ ଆର୍ଥିକ ବିକାଶ କରିବା ଥିଲା ମଧୁବାବୁଙ୍କ ମୂଳ ଲକ୍ଷ୍ୟ। ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଆଧୁନିକ ଜୋତା କିପରି ପ୍ରସ୍ତୁତ କରାଯାଇପାରିବ, ଉତ୍କଳ ଟ୍ୟାନେରୀ ମାଧ୍ୟମରେ ମଧୁବାବୁ ଏହାକୁ ପ୍ରମାଣିତ କରିପାରିଥିଲେ।

ଏହାଛଡ଼ା ତତ୍କାଳୀନ ସମାଜରୁ ଜାତିପ୍ରଥା ବିଲୋପ ପାଇଁ ଉତ୍କଳ ଟ୍ୟାନେରୀ ବଳିଷ୍ଠ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ବିଶେଷ କରି ଏକାଧିକ ମେହେନ୍ତର ଓ ମୋଚି ସମ୍ପ୍ରଦାୟର ଲୋକମାନଙ୍କୁ ନିଯୁକ୍ତି ଦେଇ ଉତ୍କଳ ଟ୍ୟାନେରୀ ଭାରତରେ ଦଳିତ ଶ୍ରେଣୀର ସମ୍ମାନ ଓ ବିକାଶ କ୍ଷେତ୍ରରେ ଏକ ଉଦାହରଣ ପାଲଟିଥିଲା।

Madhusudan Das Madhubabu
ବୟସର ସନ୍ଧ୍ୟାରେ ଉତ୍କଳଗୌରବ ମଧୁସୂଦନ ଦାସ

୧୯୦୫ ମସିହାରେ କଟକରେ ମଧୁବାବୁଙ୍କ ଅନ୍ୟତମ ମାନସ ସନ୍ତାନ ‘ଉତ୍କଳ ଟ୍ୟାନେରୀ’ ଜୋତା କାରଖାନା ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାରେ ନିର୍ମିତ ଜିନିଷ ସମଗ୍ର ବିଶ୍ୱରେ ସୁଖ୍ୟାତି ଅର୍ଜ୍ଜନ କରାଇବା ଥିଲା ଉତ୍କଳ ଗୌରବ ମଧୁସୂଦନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେ ସମୟରେ ବହୁ କୁଶଳୀ ଓ ମେଧାବୀ କାରିଗର ଉତ୍କଳ ଟ୍ୟାନେରୀରେ କାମ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିଲେ।

ଓଡ଼ିଶାରେ ଚମଡ଼ା ଶିଳ୍ପର ବିକାଶ ପାଇଁ ମଧୁବାବୁ ସୁଦୂର ଜର୍ମାନୀରୁ ଇଂଜିନିୟର ଆଣି ଚମଡ଼ା ଶିଳ୍ପରେ ନୂଆ ସମ୍ଭାବନା ସୃଷ୍ଟି କରିଥିଲେ। ପୃଥିବୀର ବିଭିନ୍ନ ଦେଶରେ ଉତ୍କଳ ଟ୍ୟାନେରୀ କାରଖାନାରୁ ପ୍ରସ୍ତୁତ ହେଉଥିବା ଜୋତା ବିକ୍ରି ହେଉଥିଲା। ଏପରିକି ଉତ୍କଳ ଟ୍ୟାନେରୀର ଜୋତା ପିନ୍ଧି ବ୍ରିଟିଶ୍ ସୈନିକମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ।

Madhusudan Das with the members of Odisha Legislative Council
ଓଡ଼ିଶା ଶାସନ ବ୍ୟବସ୍ଥାର ସଦସ୍ୟମାନଙ୍କ ଗହଣରେ ଉତ୍କଳଗୌରବ ମଧୁସୂଦନ ଦାସ

ମଧୁବାବୁ ନିଜେ କାରଖାନାରେ ତିଆରି ପଦାର୍ଥଗୁଡିକୁ ପରୀକ୍ଷା କରି ଦେଖୁଥିଲେ। କୌଣସି ଜୋତା ନିର୍ମାଣରେ ସାମନ୍ୟ ତ୍ରୁଟି ପରିଲକ୍ଷିତ ହେଉଥିଲେ ସେ ଏହି ଜୋତାକୁ ପୋଡ଼ି ଦେଉଥିଲେ। ଅନେକ ସମୟରେ ବହୁ ବ୍ୟକ୍ତି ଏପରି ନ କରିବାକୁ ମଧୁବାବୁଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ମଧୁବାବୁ ଏସବୁ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଫଳରେ ବର୍ଷକୁ ବର୍ଷ କାରଖାନାରେ ବହୁତ କ୍ଷତି ହେଉଥିଲା। ଏଥିପାଇଁ ମଧୁବାବୁଙ୍କୁ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 

ଶେଷରେ ତାଙ୍କୁ ଅନେକ ଟଙ୍କା କରଜ କରିବାକୁ ପଡ଼ିଥିଲା। କରଜ ପରିଶୋଧ କରିନପାରି ମଧୁବାବୁ ଶେଷରେ କାରଖାନାକୁ ନିଲାମ କରିଦେଇଥିଲେ ବୋଲି  ଜଣାପଡ଼େ।

ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୨୫ ମସିହାରେ ଉତ୍କଳ ଟ୍ୟାନେରୀ ବୁଲି ଦେଖିଥିଲେ। ମଧୁବାବୁଙ୍କ କାମରେ ବାପୁ ବହୁମାତ୍ରାରେ ପ୍ରଭାବିତ ହୋଇଥିଲେ। ସାବରମତୀ ଆଶ୍ରମରେ ଅନୁରୂପ ଟ୍ୟାନେରୀ ପ୍ରତିଷ୍ଠା କରିବାପାଇଁ ଦିଗଦର୍ଶନ ଦେବାକୁ ସେ ମଧୁବାବୁଙ୍କ ଅନୁରୋଧ କରିଥିଲେ।

ଦେଶରେ ଶିଳ୍ପ ବିକାଶ, ହସ୍ତଶିଳ୍ପର ପ୍ରସାର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଏକ ଶତାଦ୍ଦୀ ପୂର୍ବରୁ ମଧୁବାବୁ ନିଜସ୍ୱ ଚେଷ୍ଟାରେ ସଫଳ ରୂପାୟନ କରିପାରିଥିଲେ, ଉତ୍କଳ ଟ୍ୟାନେରୀ ଥିଲା ଏହାର ଏକ ଜ୍ୱଳନ୍ତ ଉଦାହରଣ।

Tags: #MadhuBabujayanti #UtkalGouravMadhusudanDas #MadhuBabu #ଓଡ଼ିଶା #ମଧୁବାବୁ #ଉତ୍କଳଟ୍ୟାନେରୀ #ସ୍ୱତନ୍ତ୍ରଉତ୍କଳପ୍ରଦେଶ

 

Comment