ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଶନିବାର ଦିନ ସୃଷ୍ଟି ହୋଇଛି ପୂର୍ଣ୍ଣିବଳୟ। ଏହା ପ୍ରଭାବରେ ୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ଘନିଭୂତ ହୋଇ ୮ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଆଜି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ନେଇ ଓଡ଼ିଶା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇ ନାହିଁ। ଆସନ୍ତା ୭ ତାରିଖ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟତା ଆସିବ। ଏହାର ତୀବ୍ରତା ଏବଂ ଏହା କେଉଁ ଉପକୂଳକୁ ଗତି କରିବ ତାହା ଜଣାପଡ଼ିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନଙ୍କୁ ୭ ତାରିଖ ପୂର୍ବରୁ ଫେରିଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ମେ’ ୯ ତାରିଖରେ ବାତ୍ୟା ସମ୍ଭାବନା ଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କିନ୍ତୁ ଲୋକଙ୍କୁ ଭୟଭୀତ ନହେବା ଲାଗି ଆଇଏମଡି ଡିଜି କହିଛନ୍ତି। ଆଇଏମଡି ପକ୍ଷରୁ ଏହା ଉପରେ ଲଗାତର ନଜର ରଖାଯାଇଛି। ବାତ୍ୟା ସମ୍ପର୍କୀତ ଟିକିନିଖ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏପଟେ ସାମୁଦ୍ରିକ ଗତିବିଧି ଉପରେ ପୂର୍ବାନୁମାନ କରୁଥିବା ଭାରତୀୟ ସଂସ୍ଥା ଇନକୋଏସ ଅନୁସାରେ ସମ୍ଭାବ୍ୟ ବାତ୍ୟାର ଗତିପଥ ମିଆଁମାର ଆଡ଼କୁ ହେବ ବୋଲି ଆକଳନ କରାଯାଇଛି।

Tags: #WeatherUpdates #Cyclone #CycloneAlert #IMD #CyclonicCirculation

Comment