ଜାଲ ଦସ୍ତଖତ କରି ଟଙ୍କା ହଡ଼ପ ଅଭିଯୋଗ: କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ

arrested

(ଜୟପୁର): ଜାଲ ଦସ୍ତଖତ କରି ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପୂର୍ବତନ ଆକାଉଣ୍ଟାଣ୍ଟ ପି ଆଶିଷ କୁମାର। ତାଙ୍କଠାରୁ ଡୁଡାର କାଗଜପତ୍ର, ୭ଟି ଭିନ୍ନ ଭିନ୍ନ ବ୍ୟାଙ୍କର ପାସବୁକ, ପ୍ୟାନକାର୍ଡ, ଡେବିଟକାର୍ଡ, ଗୋଟିଏ ମୋବାଇଲ ଫୋନ, ନଗଦ ୧ ଲକ୍ଷ ୮୯ ହଜାର ଟଙ୍କା, ଗୋଟିଏ କାର ଏବଂ ବାଇକ୍ ଜବତ କରାଯାଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ।

ଅଭିଯୁକ୍ତ ପି ଆଶିଷ କୁମାର ୨୦୨୦ ଅକ୍ଟୋବର ମାସ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କେୟାର ସିକ୍ୟୁରିଟି ଓ ଆଲାଇଡ ସର୍ଭିସ ନାମକ ଏକ ଠିକା ସଂସ୍ଥା ଜରିଆରେ ଡୁଡା କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ୪ ଜଣ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକଙ୍କର ଜାଲ ଦସ୍ତଖତ କରି ଆରଟିଜିଏସ ମାଧ୍ୟମରେ ନିଜ ଆକାଉଣ୍ଟକୁ ସରକାରୀ ଯୋଜନାର ୨୫ ଲକ୍ଷ ୮୮ହଜାର ୨୩୦ଟଙ୍କା ପଠାଇଥିଲେ।

ଦରମା ବାବଦକୁ ଆସିଥିବା ଟଙ୍କାରୁ ୩ ଲକ୍ଷ ୭୯ ହଜାରରୁ ୩ ଲକ୍ଷ ୪୮ ହଜାର ଟଙ୍କା ସହ ବିଜୁ ଯୁବ ବାହିନୀ ପାଇଁ ଆସିଥିବା ଫଣ୍ଡରୁ ୧୦ ଲକ୍ଷ ଟଙ୍କା, ଟିଡିଏସରୁ ୩୧ ହଜାର ଟଙ୍କା ଓ ଆହାର ସଫେଇ ଭଳି ୪ଟି ପୌରାଞ୍ଚଳ ଉନ୍ନୟନ ପାଇଁ ଆସିଥିବା ଟଙ୍କା ହଡ଼ପ କରିଥିବା ଏସଡିଓ ସୂଚନା ଦେଇଛନ୍ତି।

ଡୁଡା କାର୍ଯ୍ୟାଳାୟରେ କାର୍ଯ୍ୟରତ ଅଧିକାରୀ ବି ସୁଜାତା ଗତ ଏପ୍ରିଲ ମାସ ୧୫ ତାରିଖରେ ଏକ ଆରଟିଜିଏସ କରିବା ସମୟରେ ବ୍ୟାଙ୍କ ଆକାଉଣ୍ଟରେ ଆବଶ୍ୟକ ପରିମାଣର ବାଲାନ୍ସ ନଥିବା ଜାଣିବାକୁ ପାଇଥିଲେ। ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ଟଙ୍କା ପି ଆଶିଷ କୁମାରଙ୍କ ଆକାଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଥିଲା।

ଏହାକୁ ନେଇ ସେ ମେ’ ୨ ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଆଶିଷଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସମୟରେ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ସ୍ୱୀକାର କରିଥିଲେ। ଏହା ପରେ ଅଭିଯୁକ୍ତ ପି ଆଶିଷଙ୍କୁ ଗିରଫ କରାଯାଇଥିଲା।

Tags: #Koraput #ExAccountantArrest #DUDA #DistrictUrbanDevelopmentAgency

Comment