ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ଜୋର ଧରିଛି ପ୍ରଚାର। ଏହି ପରିପ୍ରେକ୍ଷୀରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଝାରସୁଗୁଡ଼ା ଆମଲିପାଲିସ୍ଥିତ ପଡ଼ିଆରେ ହୋଇଥିବା ସଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଦୀପାଳିଙ୍କ ପାଇଁ ପ୍ରଚାର କରିଥିଲେ।

ରବିବାର ଦିନ ଅପରାହ୍ଣ ୪ଟା ବେଳେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସେଠାରୁ ସଭାସ୍ଥଳକୁ ଯାଇଥିଲେ। ସେଠାର ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ସମର୍ଥନ ଦେବା ପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ଏହି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ।

“ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ। ସେ ଜଣେ ଭଲ ଜନ ପ୍ରତିନିଧି ଭାବେ ନିଜ କ୍ଷେତ୍ରର ଉନ୍ନତି ପାଇଁ କାମ କରିବେ। ଏଥିପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ଆଶା। ସ୍ୱର୍ଗତ ନବ କିଶୋର ଦାସ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା। ସେ ଆଜି ଆମ ଗହଣରେ ନାହାନ୍ତି। ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ। ଏବେ ତାଙ୍କ ସ୍ଥାନରେ ଲୋକଙ୍କ ସେବା କରିବା ପାଇଁ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବାପାଙ୍କୁ ହରାଇଥିବା ଗୋଟିଏ ଝିଅ ପ୍ରତି ବିରୋଧୀମାନେ ଯେଭଳି ବ୍ୟବହର କ‌ଲେ, ତାହା ସମସ୍ତେ ଦେଖିଥିଲେ। ଏବେ ସେମାନେ ଦୀପାଳିଙ୍କ ପ୍ରତି ସେମିତି ବ୍ୟବହାର କରୁଛନ୍ତି, ଗାଳି ମଧ୍ୟ ଦେଉଛନ୍ତି। ଏହା ମୋତେ ବହୁତ ଦୁଃଖ ଦେଇଛି। ଏଣୁ ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ନେତାମାନଙ୍କୁ ଶାଳୀନତା ରକ୍ଷା କରିବା ଆବଶ୍ୟକ।”

ମୁଖ୍ୟମନ୍ତ୍ରୀ ସଭାରେ ଝାରସୁଗୁଡ଼ାର କୃଷକ ସଂଗଠନ, ଜିଲ୍ଲା ବିଜେଡି, ଅଘରିଆ ସମାଜ, ଓବିସି ମଞ୍ଚ, ପ୍ରଗତିଶୀଳ ଶ୍ରମିକ ମଞ୍ଚର କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରଯାଇଥିଲା। ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ସାରି ଭୁବନେଶ୍ଵର ଫେରି ଆସିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ରାଉରକେଲା ବିଧାୟକ ସାରଦା ନାୟକ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ବିଜେଡିର ବିଭିନ୍ନ ସଂଗଠନର ନେତା ଓ ଦଳର ଅନେକ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ।

Tags: #JharsugudaByelection #ElectionCampaign #NaveenPatnaik #DeepaliDas

Comment