ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶର ଖରଗାଓଁଠାରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୮ଟା ୪୦ ମିନିଟରେ ଗୋଟିଏ ବସ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କୁ ଧରି ଇନ୍ଦୋର ଅଭିମୁଖେ ଯାତ୍ରା କରୁଥିଲା। କ୍ଷମତାଠାରୁ ଅଧିକ ଲୋକ ଥିବାରୁ ବସଟି ଭାରସାମ୍ୟ ହରାଇ ଖରଗାଓଁର ଦସଙ୍ଗା ଗ୍ରାମ ନିକଟରେ ଥିବା ପୋଲରେ ମାଡ଼ ହୋଇ ତଳକୁ ଖସିପଡ଼ିଥିଲା।

ଘଟଣାସ୍ଥଳରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ ଚାଳକ, କଣ୍ଡକ୍ଟର ଏବଂ ହେଲପର ରହିଛନ୍ତି। ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତ ହୋଇଥିବା ୨୫ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।  ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #BusAccident #Madhyapradesh #khargone #Death

Comment