ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ସାମାନ୍ୟ କଥା କଟାକଟିରୁ ନିଜ ପୁଅକୁ ଅତି ନୃଶଂସ ଭାବେ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ। ପୁଅକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସମରା ବୁଡ଼ିଆଙ୍କୁ ପୋଲିସ ଗିରଫ କରିଛି।

ସମରା ବୁଡ଼ିଆ ମଙ୍ଗଳବାର ଦିନ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ କୌଣସି କଥାକୁ ନେଇ ପୁଅ ସୁରେନ୍ଦ୍ରଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ରାଗି ଯାଇ ସମରା ଏକ ଟାଙ୍ଗିଆରେ ପୁଅକୁ ଆକ୍ରମଣ କରିଥିଲେ।

ସୁରେନ୍ଦ୍ରଙ୍କ ଚିତ୍କାର ଶୁଣି ପରିବାର ଲୋକ ସମରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେତେବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହେଉଥିଲା ସୁରେନ୍ଦ୍ର। ସୁରେନ୍ଦ୍ରକୁ ପରିବାର ଲୋକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦାମନଯୋଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ଅଭିଯୁକ୍ତ ସମରାକୁ ଗିରଫ କରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Tags: #Koraput #FatherKilledSon #PoliceInvestigation

Comment