ଓଡ଼ିଶାଲାଇଭ୍ ବ୍ୟୁରୋ

whatsapp-1

ହ୍ଵାଟ୍ସଆପ୍ ନିଜର ୟୁଜର୍ସମାନଙ୍କ ପାଇଁ ଏକ ନୂଆ ‘ଚାଟ୍ ଲକ୍’ ଫିଚର ନେଇ ଆସିଛି। ଏହା ମାଧ୍ୟମରେ ଏବେ ବ୍ୟବହାରକାରୀ ନିଜର ବ୍ୟକ୍ତିଗତ ଚାଟିଂକୁ ଲକ୍ କରିପାରିବେ। ଏନେଇ ହ୍ଵାଟ୍ସଆପର ମୁଖ୍ୟ କମ୍ପାନି ‘ମେଟା’ର ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି।

ଏହି ‘ଚାଟ୍ ଲକ୍’ ଫିଚର ଦ୍ଵାରା ହ୍ଵାଟ୍ସଆପର ସବୁ ‘କଲ’ ଓ ‘ଚାଟିଂ’କୁ ସୁରକ୍ଷିତ ରଖିହେବ। ଏଥିପାଇଁ ସ୍କ୍ରିନ ଲକ୍ କରାଯାଉଥିବା ପ୍ରଣାଳୀକୁ ବ୍ୟବହାର କରାଯିବ। କୌଣସି ଚାଟିଂ କିମ୍ବା ହ୍ୱାଟ୍ସଆପ୍ କଲକୁ ଗୁପ୍ତ ରଖିବା ପାଇଁ ସେଥିରେ ପାସୱାର୍ଡ ବା ଫିଙ୍ଗରପ୍ରିଣ୍ଟ ଦେଇ ଲକ୍ କରିହେବ। ସେଗୁଡ଼ିକୁ ଅନଲକ ନକରିବା ଯାଏଁ ଦେଖି ହେବନାହିଁ।

“ଚାଟ୍ ଲକ୍ ଫିଚର ଦ୍ଵାରା ହ୍ଵାଟ୍ସଆପ ୟୁଜର୍ସଙ୍କ କଥାବାର୍ତ୍ତା ଅଧିକ ସୁରକ୍ଷିତ ରହିବ। ଏହା ଡାଟା ସୁରକ୍ଷାକୁ ଅଧିକ ବଳ ଦେବ। ଏହାର ବିକାଶ  ସମୟରେ ଏଥିରେ ବହୁ ପରୀକ୍ଷା କରାଯିବାପରେ ଏବେ ଏହାକୁ ଗ୍ରାହକମାନଙ୍କ ପାଇଁ ଅଣାଯାଇଛି। ଏହି ‘ଚାଟ୍ ଲକ୍’ ଫିଚର ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଫୋନ ପାଇଁ ଉପଲବ୍ଧ ହେବ”, କହିଛନ୍ତି ମାର୍କ ଜୁକରବର୍ଗ।

ହ୍ଵାଟ୍ସଆପକୁ ସାରା ବିଶ୍ଵରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଭାରତରେ କେବଳ ଏହାର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ୨୦୦୯ରେ ଆରମ୍ଭ ହୋଇଥିବା ଏହି ମେସେଜିଂ କମ୍ପାନିକୁ ୨୦୧୪ ମସିହାରେ ଫେସବୁକ କିଣି ନେଇଥିଲା।

ହ୍ଵାଟ୍ସଆପ ବିଭିନ୍ନ ସମୟରେ ନୂଆ ନୂଆ ଫିଚର ଆଣି ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। ଏଥିପାଇଁ ଏହା ଆଜି ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ ପାଲଟିଛି।

Tags: #WhatsApp #NewFeature #ChatLock #Technology #Meta

Comment