ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଉପକଣ୍ଠସ୍ଥ ଦାରୁଠେଙ୍ଗ ଗାଁ ନିକଟରେ ଥିବା ଡମ୍ପିଂ ୟାର୍ଡକୁ ସବୁଦିନ ପାଇଁ ବନ୍ଦ କରାଯାଇଛି। ସେଠାରେ ବୁଧବାରଠାରୁ ଭୁବନେଶ୍ଵର ସହରର ଅଳିଆ ପକାଯିବା ବନ୍ଦ ହୋଇଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ଦରୁଠେଙ୍ଗର ସରପଞ୍ଚଙ୍କୁ ଚିଠି ଲେଖାଯାଇଛି।
ପୂର୍ବରୁ ଏହି ଡମ୍ପିଂ ୟାର୍ଡକୁ ବନ୍ଦ କରିବା ପାଇଁ ମେ’ ୩୦ ତାରିଖ ଯାଏଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିଲା। ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ୟାର୍ଡ ବନ୍ଦ କରିବା ନେଇ ବିଏମସି ନିଷ୍ପତ୍ତି ନେଇଛି।
ତେବେ ଦାରୁଠେଙ୍ଗରେ ଡମ୍ପିଂ ୟାର୍ଡ ବନ୍ଦ ହୋଇଥିଲେ ମଧ୍ୟ ବିଏମସି ସେଠାରେ ବାୟୋ ମାଇନିଂ ପ୍ରକଳ୍ପ ଆରମ୍ଭ କରିବ। ଏହାଦ୍ଵାରା ସେଠାରେ ଜମା ହୋଇଥିବା ଅଳିଆକୁ ପ୍ରକ୍ରିୟକରଣ କରି ସେ ସ୍ଥାନକୁ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ଯୋଜନା ରହିଛି। ଏଥିପାଇଁ ସ୍ୱତନ୍ତ୍ର ମେସିନ ଲଗାଯିବ।
ଅନ୍ୟପଟେ ଏବେ ଭୁବନେଶ୍ଵରର ଅଳିଆ ଆବର୍ଜନାକୁ ସହର ଭିତରେ ହିଁ ପ୍ରକ୍ରିୟାକରଣ କରାଯିବ। ଏଥିଲାଗି ସହରରେ ଆହୁରି ଅଧିକ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର (ଏମସିସି)ର ନିର୍ମାଣ କରାଯିବ।
ଅନେକ ବର୍ଷ ଧରି ବିଏମସି ଦାରୁଠେଙ୍ଗ ଡମ୍ପିଂ ୟାର୍ଡରେ ଭୁବନେଶ୍ଵର ସହରର ଅଳିଆ ଆବର୍ଜନା ପକାଇ ଆସୁଥିଲା। ଦାରୁଠେଙ୍ଗ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଅନେକ ସମୟରୁ ଏହି ଡମ୍ପିଂ ୟାର୍ଡକୁ ବନ୍ଦ କରିବା ପାଇଁ ଦାବି କରି ଆସୁଥିଲେ। ଏହାକୁ ନେଇ ବହୁତ ବିବାଦ ମଧ୍ୟ ଉପୁଜିଥିଲା।
ଶେଷରେ ୨୦୨୨ ମସିହାରେ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଡମ୍ପିଂ ୟାର୍ଡକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବିଏମସିକୁ ୨୦୨୩ ମସିହା ମେ’ ୩୦ ତାରିଖ ଯାଏଁ ସମୟ ଦିଆଯାଇଥିଲା। ଏବେ ଡମ୍ପିଂ ୟାର୍ଡ ବନ୍ଦ ନିଷ୍ପତ୍ତି ପରେ ସମ୍ପୃକ୍ତ ଅଞ୍ଚଳବାସୀ ଖୁସି ହେବା ସହ ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି।
Tags: #DaruthengDumpingYard #BMC #Wastematerials #EnvironmentalHazard

















