ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ପରିବାରର ୪ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ। ମୃତକମାନେ ହେଲେ ଗୁରୁଦେବ ବାଗ, ତାଙ୍କ ପତ୍ନୀ ଶିବଗ୍ରୀ, ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ। ସମସ୍ତଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତ ଗୁରୁଦେବଙ୍କ କକା ଶିବ ବାଗଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଭଟଲି ପୋଲିସ। ଜମିଜମା ବିବାଦକୁ ଏହି ନାରକୀୟ କାଣ୍ଡ ଘଟିଥିବା କୁହାଯାଉଛି।

ମଙ୍ଗଳବାର ଦିନ ଝିକିଝିକି ଗାଁର ଗୁରୁଦେବ ଏବଂ ତାଙ୍କ ପରିବାର ସଦସ୍ୟ ସକଳେ ଘରର କବାଟ ଖୋଲିନଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେମାନେ କବାଟ ନଖୋଲିବାରୁ ପଡ଼ୋଶୀ ଲୋକ ଆସି କବାଟ ବଡ଼େଇ ଥିଲେ। କିନ୍ତୁ କୌଣସି ଉତ୍ତର ଆସିନଥିଲା। କେହି କବାଟ ନଖୋଲିବାରୁ ଗୁରୁଦେବଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ ଗ୍ରାମବାସୀ ଏ ସମ୍ପର୍କରେ ଭଟଲି ଥାନା ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ଜଣଙ୍କୁ ଦେଖିବାକୁ ପାଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେଲା ଗୁରୁଦେବ ଏବଂ ଶିବଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହିଆସିଥିଲା। ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

Tags: #Deogarh #Murder #Bhatli #PoliceCase

Comment