ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ମେ’ ୨୨ ତାରିଖରେ ଡକ୍ଟର ମନମୋହନ ସିଂହ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ। ଏହା ଏକଦମ୍ ଅପ୍ରତ୍ୟାଶିତ ଥିଲା।

୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ବହୁମତ ମିଳିଥିଲା। ଦୀର୍ଘ ୮ ବର୍ଷ ପରେ କ୍ଷମତାକୁ ଫେରିଥିଲା କଂଗ୍ରେସ। ସୋନିଆଙ୍କ ନେତୃତ୍ଵରେ ଏହି ନିର୍ବାଚନ ଲଢ଼ିଥିଲା ୟୁପିଏ। ତେଣୁ ସ୍ଵାଭାବିକ ଭାବେ ସମସ୍ତେ ଆଶା କରୁଥିଲେ ସୋନିଆ ଗାନ୍ଧୀ ହେବେ ଭାରତର ଦ୍ଵିତୀୟ ମହିଳା ପ୍ରଧାନମନ୍ତ୍ରୀ। କିନ୍ତୁ ଇତିହାସ ଆଉ କିଛି ଲେଖା ହେବାର ଥିଲା।

ବିଦେଶିନୀ ହୋଇଥିବାରୁ ସୋନିଆଙ୍କୁ ତୀବ୍ର ବିରୋଧ କରୁଥିଲା ବିଜେପି। ଅନ୍ୟପଟେ ୧୦ ଜନପଥରେ କିଛି ଅଲଗା ସମୀକରଣର ସମାଧାନ ହେଉଥିଲା। ବହୁତ ଚର୍ଚ୍ଚା ହେଉଥିଲା। ସମର୍ଥକମାନେ ଚାହୁଁଥିଲେ ସୋନିଆ ହିଁ ପ୍ରଧାନମନ୍ତ୍ରୀ ହୁଅନ୍ତୁ, କିନ୍ତୁ ରାହୁଲ ଗାନ୍ଧୀ ଚାହୁଁ ନଥିଲେ। ରାହୁଲଙ୍କ କଥା କାଟିପାରୁ ନଥିଲେ ସୋନିଆ। ଏହାରି ଭିତରେ ୫ ଦିନ ବିତିଯାଇଥିଲା।

୨୦୦୪ ମେ’ ୨୨ ତାରିଖରେ ଯେତେବେଳେ ମନମୋହନ ସିଂହଙ୍କ ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା ହେଲା, ସେତେବେଳେ ସମସ୍ତେ ଆଶର୍ଯ୍ୟ ହୋଇଗଲେ। କାରଣ ମନମୋହନଙ୍କ କଥା କେହି ବି ଚିନ୍ତା କରିନଥିଲେ। କିନ୍ତୁ ଦେଶର ୧୩ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ପିଭି ନରସିଂହା ରାଓଙ୍କ କ୍ୟାବିନେଟର ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହ।

କଂଗ୍ରେସ ସରକାର ଗଠନ କରିଥିଲେ ମଧ୍ୟ ନିର୍ବାଚନ ଫଳ ଘୋଷଣା ହେବା ପର୍ଯ୍ୟନ୍ତ କଂଗ୍ରେସ ସପକ୍ଷରେ ନା ଚର୍ଚ୍ଚା ହେଉଥିଲା ନା ଏକ୍‌ଜିଟ୍‌ ପୋଲ୍ ଅନୁମାନ କରିଥିଲା। ସବୁ କିଛି ବିଜେପି ସପକ୍ଷରେ ଥିଲା। କିନ୍ତୁ ସୋନିଆଙ୍କ ନେତୃତ୍ଵରେ ୟୁପିଏ ଭିତରେ ଭିତରେ ଇତିହାସ ଲେଖି ସାରିଥିଲା।

ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିଲା। ଭାରତ ଉଦୟ ଓ ଫିଲ୍‌ଗୁଡ୍ ଫ୍ୟାକ୍ଟର ସ୍ଲୋଗାନ ଆଧାରରେ ବିଜେପି ନିର୍ବାଚନକୁ ଓହ୍ଲାଇଥିଲା। କଂଗ୍ରେସର ସ୍ଥିତି କିନ୍ତୁ ଖରାପ ଥିଲା, କାରଣ ସାଧାରଣ ନିର୍ବାଚନ ପୂର୍ବରୁ ହୋଇଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ମୁହଁ ଦେଖିଥିଲା।

ବିଜେପିକୁ ଶାସନ କ୍ଷମତାଠାରୁ ଦୂରରେ ରଖିବା ପାଇଁ ସୋନିଆ ଗାନ୍ଧୀ ସଂଘର୍ଷ ଜାରି ରଖିଥିଲେ। ଅନେକ ଛୋଟ ଦଳ ସହ ମେଣ୍ଟ କରିଥିଲେ। ଲାଲୁ ପ୍ରସାଦ ଯାଦବ, ମମତା ବାନାର୍ଜୀ, ଡିଏମ୍‌କେ, ଏନ୍‌ସିପି, ପିଡିପି ସହ ମେଣ୍ଟ କରିବାରେ କଂଗ୍ରେସ ସଫଳ ହୋଇଥିଲା। ସମସ୍ତେ ଜାଣିଥିଲେ ନିର୍ବାଚନ ଜିତିଲେ ସୋନିଆ ହିଁ ପ୍ରଧାନମନ୍ତ୍ରୀ ହେବେ।

ଏପ୍ରିଲ ୨୦ ତାରିକରୁ ମେ’ ୧୦ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ମେ’ ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଅପ୍ରତ୍ୟାଶିତ ଭାବେ ବିଜେପି ବହୁମତ ହରାଇଥିଲା। ବାଜପେୟୀ ଆଉଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଗଲା।

ଏନ୍‌ଡିଏକୁ ୧୮୧ ସିଟ୍ ଓ ୟୁପିଏକୁ ୨୧୮ ସିଟ୍ ମିଳିଥିଲା। ବହୁମତ ମିଳିଥିବାରୁ ସୋନିଆଙ୍କ ସପକ୍ଷରେ ଚର୍ଚ୍ଚା ଜୋରଦାର ଥିଲା। କିନ୍ତୁ ବିଜେପି ସୋନିଆଙ୍କ ବିରୋଧରେ ଲଢେ଼ଇ ଆରମ୍ଭ କରିଦେଇଥିଲା। ବିଦେଶିନୀ ପ୍ରସଂଗ ନେଇ ବିଜେପି କଠୋର ସମାଲୋଚନା କରିବା ଜାରି ରଖିଥିଲା। ହେଲେ ସେଥିରେ ବ୍ୟତିବ୍ୟସ୍ତ ହୋଇନଥିଲେ ସୋନିଆ। ତାଙ୍କ ମନରେ ଆଉ କିଛି ଚାଲିଥିଲା।

ମେ’ ୧୩ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ସୋନିଆ କହିଥିଲେ, “ୟୁପିଏର ସମସ୍ତ ସାଂସଦ ଓ ନେତାଙ୍କ ସହମତିରେ ହିଁ ପ୍ରଧାନମନ୍ତ୍ରୀ ବଛାଯିବେ।”

ଏହି ବୈଠକରେ ବି ସୋନିଆଙ୍କ ମନରେ କ’ଣ ଚାଲୁଛି କେହି ଜାଣିପାରି ନଥିଲେ।

ପ୍ରଧାନମନ୍ତ୍ରୀ ପଦ ସମ୍ପର୍କରେ ସୋନିଆ ରାହୁଲ ଓ ପ୍ରିୟଙ୍କାଙ୍କ ସହ କଥା ହୋଇଥିଲେ। କିନ୍ତୁ ସୋନିଆ ପ୍ରଧାନମନ୍ତ୍ରୀ ନହୁଅନ୍ତୁ ବୋଲି ରାହୁଲ ସିଧା ସଳଖ ମନା କରିଦେଇଥିଲେ। ପୂର୍ବତନ ମନ୍ତ୍ରୀ ନଟବର ସିଂହ ତାଙ୍କ ପୁସ୍ତକ ‘ଓ୍ଵାନ ଲାଇଫ୍ ଇଜ୍ ନଟ୍ ଏନଫ୍’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଜ୍ୟୋତି ବସୁ ବି ଉଲ୍ଲେଖ କରିଛନ୍ତି, ରାହୁଲଙ୍କ ମନରେ ଭୟ ଥିଲା ଯେ ତାଙ୍କ ବାପା ଓ ଜେଜେମାଆ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିଲା।

ସଂସଦୀୟ ଦଳ ବୈଠକ ପୂର୍ବରୁ ସୋନିଆ ଦଳର ସବୁ ନେତାଙ୍କୁ ଭେଟି ଆଲୋଚନା କରିଥିଲେ। ଏ ସମ୍ପର୍କରେ କାହାକୁ ବି ସାମାନ୍ୟତମ ସୂଚନା ମିଳିନଥିଲା। ସମସ୍ତେ ଭାବୁଥିଲେ ସୋନିଆ ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ସମସ୍ତଙ୍କୁ ରାଜି କରାଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହେବା ନେଇ ସେ କାହା ସହିତ କୌଣସି ଆଲୋଚନା କରିନଥିଲେ। ସମସ୍ତେ ଭାବୁ ଥିଲେ ଔପଚାରିକତା ଦୃଷ୍ଟିରୁ ଆଉ ଥରେ ଭେଟୁଛନ୍ତି।

ମେ’ ୧୫ ତାରିଖରେ କଂଗ୍ରେସ ସୋନିଆ ଗାନ୍ଧୀଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିଥିଲା। ଏହି ବୈଠକରେ ବି ସୋନିଆ ନିଜେ ପ୍ରଧାନମନ୍ତ୍ରୀ ହେବେ ବୋଲି କହିନଥିଲେ ଏବଂ ସରକାର ଗଠନ କରିବା ପାଇଁ ଦାବି କରିବାକୁ ଯିବା ପାଇଁ ବୈଠକରେ ମନା କରିଦେଇଥିଲେ। କାରଣ ସରକାର ଗଠନ ପାଇଁ ଏବେ ବି ମ୍ୟାଜିକ ନମ୍ବର ହାସଲ ହୋଇନଥିଲା।

ନବ ନିର୍ବାଚିତ ସାଂସଦଙ୍କ ଉଦ୍ଦେଶ୍ୟରେ ମେ’ ୧୫ ତାରିଖରେ ସୋନିଆ ଡାକିଥିବା ନୈଶ୍ୟ ଭୋଜନରେ ସିପିଆଇଏମ୍ ଓ ସମାଜବାଦୀ ପାର୍ଟିର ବାହ୍ୟ ସମର୍ଥନ ମିଳିଯାଇଥିଲା। ଠିକ୍ ତା’ ପର ଦିନ ଅର୍ଥାତ ମେ’ ୧୬ ତାରିଖରେ ସୋନିଆ ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ବୈଠକ ଡାକିଥିଲେ।

ଏହି ବୈଠକ ସମ୍ପର୍କରେ ନଟବର ସିଂହ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ବୈଠକରେ ନଟବର ସିଂହ, ମନମୋହନ ସିଂହ, ପ୍ରଣବ ମୁଖର୍ଜୀ, ଅର୍ଜୁନ ସିଂହ, ଶିବରାଜ ପାଟିଲ, ଗୁଲାମ ନବୀ ଆଜାଦ ଓ ଏମ୍‌ଏଲ୍‌ ଫୋତେଦାର ଉପସ୍ଥିତ ଥିଲେ।

କେବଳ ମନମୋହନ ସିଂହଙ୍କୁ ଛାଡ଼ିଦେଲେ ଆଉ କାହାକୁ ଏ ବିଷୟରେ ଜଣାନଥିଲା ବୈଠକରେ କ’ଣ ଆଲୋଚନା ହେବ।

ସୋନିଆ ଗାନ୍ଧୀ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ କହିଥିଲେ। ଏହା ସହିତ ସହଯୋଗୀ ଦଳଗୁଡ଼ିକର ସମର୍ଥନ ଜୁଟାଇବା ପାଇଁ ନଟବର ସିଂହ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ସୋନିଆ କହିଥିଲେ। ନଟବର ସିଂହ ବିପି ସିଂହ, ଲାଲୁ ପ୍ରସାଦ ଯାଦବ, ରାମ ବିଲାସ ପାଶ୍ଵାନଙ୍କୁ ଭେଟିଥିଲେ। ଅନ୍ୟ ସହଯୋଗୀ ନେତାଙ୍କୁ ବୈଠକରେ ଉପସ୍ଥିତ ଥିବା ଅନ୍ୟ କଂଗ୍ରେସ ନେତା ଭେଟିଥିଲେ।

ସମସ୍ତ ସହଯୋଗୀ ଦଳର ନେତାମାନେ ସୋନିଆ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଦାବି କରିଥିଲେ। କାରଣ ପ୍ରାକ୍ ନିର୍ବାଚନ ବୁଝାମଣା ଅନୁସାରେ ସମସ୍ତେ ସୋନିଆଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିଥିଲେ। ଏହା ଛଡ଼ା ରାଜନୀତିରେ ମନମୋହନଙ୍କୁ ୨୦ ବର୍ଷ ବି ପୂରିନଥିଲା। ଦଳରେ ୫୦ ବର୍ଷର ଅଭିଜ୍ଞତା ରଖିଥିବା ନେତା ବି ରହିଥିଲେ।

ମେ’ ୧୮ ତାରିଖରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ସୋନିଆ କହିଥିଲେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଲକ୍ଷ୍ୟ ନାହିଁ। ତେଣୁ ନମ୍ରତାର ସହ ପ୍ରଧାନମନ୍ତ୍ରୀ ହେବାର ପ୍ରସ୍ତାବକୁ ପ୍ରତ୍ୟାଖାନ କରୁଛନ୍ତି ବୋଲି ସେ କହିଥିଲେ। କଂଗ୍ରେସ ସାଂସଦମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋନିଆଙ୍କୁ ବାଧ୍ୟ କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଏଇଠି ହିଁ ମନମୋହନଙ୍କ ନାଁରେ ମୋହର ବାଜିଥିଲା।

ଶେଷରେ ୟୁପିଏ ଅଧ୍ୟକ୍ଷା ସୋନିଆ ଓ ମନମୋହନ ସିଂହ ସମର୍ଥନ ପତ୍ର ଧରି ସରକାର ଗଠନ ପାଇଁ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ କଲାମଙ୍କୁ ଦାବି ଜଣାଇଥିଲେ। ଲାଲୁପ୍ରସାଦ ଯାଦବ, ସୁରଜିତ୍ ସିଂହ, କରୁଣାନିଧିଙ୍କୁ ନିଜେ ଭେଟି ମନମୋହନ ସିଂହଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିଥିଲେ ସୋନିଆ ଗାନ୍ଧୀ। ସୋନିଆଙ୍କ ଏ ନିଷ୍ପତ୍ତି କେବଳ ୟୁପିଏ ସାଂସଦ ନୁହେଁ, ବିରୋଧୀ ଦଳଙ୍କୁ ମଧ୍ୟ ଚୁପ୍‌ କରାଇଦେଇଥିଲା।

ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେନାହିଁ, କିନ୍ତୁ କଂଗ୍ରେସର ସମ୍ବିଧାନ ବଦଳାଇ ନିଜ ପାଖରେ ସମସ୍ତ କ୍ଷମତା ରଖିଲେ। ସଂଶୋଧିତ ନିୟମ ଅନୁସାରେ ପାର୍ଟି ଅଧ୍ୟକ୍ଷଙ୍କ ପାଖରେ ସଂସଦୀୟ ଦଳର ନେତାଙ୍କୁ ବଦଳାଇବାର କ୍ଷମତା ରହିଲା। ପ୍ରଧାନମନ୍ତ୍ରୀ ହୋଇନଥିଲେ ମଧ୍ୟ ପୂରା ସରକାର ସୋନିଆଙ୍କ ନିୟନ୍ତ୍ରଣରେ ରହିଥିଲା।

Tags: #Politics #IndianPolitics #DrManmohanSingh #SoniaGandhi #Congress #BJP #PMOfIndia

Comment