ଓଡ଼ିଶାଲାଇଭ୍ ବ୍ୟୁରୋ

whatsapp-1

ହ୍ଵାଟ୍ସଆପ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ନେଇଆସିଛି। ଏହା ମାଧ୍ୟମରେ ଏବେ ହ୍ଵାଟ୍ସଆପରେ ପଠାଯାଉଥିବା ମେସେଜକୁ ସଂଶୋଧନ କରାଯାଇପାରିବ। ଏନେଇ ସୋମବାର ଦିନ ହ୍ଵାଟ୍ସଆପର ମୁଖ୍ୟ କମ୍ପାନି ‘ମେଟା’ର ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି।

ହ୍ଵାଟ୍ସଆପର ଏହି ନୂଆ ଫିଚର ଅନୁସାରେ ଏବେ ୟୁଜର୍ସମାନେ ଅନ୍ୟମାନଙ୍କୁ ମେସେଜ ପଠାଇବା ପରେ ଯଦି ଏଥିରେ କିଛି ଭୁଲ ରହେ, ତେବେ ଏହାକୁ ସଂଶୋଧାନ କରିପାରିବେ। ଏହି ସୁବିଧା ମେସେଜ ପଠାଇବା ପରେ ୧୫ ମିନିଟ ଯାଏଁ ଉପଲବ୍ଧ ହେବ।

ମେସେଜକୁ ସଂଶୋଧନ କରିବା ପାଇଁ ଏହା ଉପରେ ‘ଲଙ୍ଗ ପ୍ରେସ’ କରି ରଖିବାକୁ ପଡ଼ିବ। ଏହାପରେ ସେଠାରେ ଆସିଥିବା ‘ମେନୁ’ ଅପ୍ସନରୁ ଏଡିଟ ମେସେଜକୁ ବାଛି ମେସେଜରେ ଆବଶ୍ୟକୀୟ ସଂଶୋଧନ କରିହେବ। ଏହାପୂର୍ବରୁ ହ୍ଵାଟ୍ସଆପ ମେସେଜ ଭୁଲ୍ ହେଲେ ଏହାକୁ ଡିଲିଟ କରି ନୂଆ ମେସେଜ ଲେଖିବାକୁ ପଡ଼ୁଥିଲା।

ମେସେଜ ସଂଶୋଧନ ହେବାପରେ ଏହା ପାଖରେ ‘ଏଡିଟେଡ’ ଲେଖା ଥିବାର ଦେଖାଇବ। ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ‘ମେଟା’ ପକ୍ଷରୁ କୁହାଯାଇଛି।

ହ୍ଵାଟ୍ସଆପର ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ ଫୋନରେ ମିଳିବ। କମ୍ପାନି ପକ୍ଷରୁ କିଛିଦିନ ମଧ୍ୟରେ ଏହି ଫିଚରକୁ ସବୁ ଫୋନରେ ଉପଲବ୍ଧ କରାଯିବ।

 

ହ୍ଵାଟ୍ସଆପକୁ ସାରା ବିଶ୍ଵରେ ୨୦୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଭାରତରେ କେବଳ ଏହାର ୫୦ କୋଟିରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ୨୦୦୯ରେ ଆରମ୍ଭ ହୋଇଥିବା ଏହି ମେସେଜିଂ କମ୍ପାନିକୁ ୨୦୧୪ ମସିହାରେ ଫେସବୁକ କିଣି ନେଇଥିଲା।

ହ୍ଵାଟ୍ସଆପ ବିଭିନ୍ନ ସମୟରେ ନୂଆ ନୂଆ ଫିଚର ଆଣି ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। ଏଥିପାଇଁ ଏହା ଆଜି ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ ପାଲଟିଛି।

Tags: #WhatsApp #NewFeature #EditMessage #Technology #Meta

 

Comment