ଓଡ଼ିଶାଲାଇଭ୍ ବ୍ୟୁରୋ

ଲାଇନ୍‌ଚ୍ୟୁତ ଟ୍ରେନ୍ ଦୁର୍ଘଟଣାର ବଡ଼ କାରଣ ପାଲଟିଛି। କେବେ ସୁଧୁରିବ ତ୍ରୁଟି, କେବେ ବନ୍ଦ ହେବ ଟ୍ରେନ୍‌ ଟ୍ରାକ୍‌ରେ ମୃତ୍ୟୁର ତାଣ୍ଡବ?

କାଳ ଶୁକ୍ରବାର, କଳା ଶୁକ୍ରବାର, ଅଶୁଭ ଶୁକ୍ରବାର, ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଶୁକ୍ରବାରକୁ ଏହିଭଳି ଦୋଷ ଦିଆଯାଇଛି। କିନ୍ତୁ ସ୍ଵାଧୀନତା ପରଠାରୁ ଆମ ଦେଶରେ ଘଟିଥିବା ସବୁ ରେଳ ଦୁର୍ଘଟଣା ଶୁକ୍ରବାର ଘଟି ନାହିଁ ବରଂ ଅଧିକାଂଶ ସମୟରେ ତ୍ରୁଟି ମନୁଷ୍ୟକୃତ। ଅନେକ ପ୍ରଶ୍ନ ଭିତରେ ଏକ ବଡ଼ ପ୍ରଶ୍ନ ଏମିତି ଦୁର୍ଘଟଣା କେବେ ବନ୍ଦ ହେବ? କେବେ ଆଉ ଟ୍ରାକ୍ ଡେଇଁ ଯିବ ନାହିଁ ଭାରତୀୟ ଟ୍ରେନ୍‌?

ବିଶ୍ଵର ସବୁଠାରୁ ବଡ଼ ରେଳ ନେଟଓ୍ଵର୍କ ଇଣ୍ଡିଆନ ରେଲ୍‌ଓ୍ଵେ ବା ଭାରତୀୟ ରେଳ। ଦଶନ୍ଧି ଦଶନ୍ଧି ଧରି ଯାତ୍ରୀ ପରିବହନର ଏକ ବିଶ୍ଵସନୀୟ ମାଧ୍ୟମ ରେଳ। ଆଧୁନିକତାର କ୍ରମ ବିକାଶରେ ଏହାର ଅନେକ ବିକାଶ ହୋଇଛି, କିନ୍ତୁ ଦୁର୍ଘଟଣା ବନ୍ଦ ହୋଇନାହିଁ। ପୂର୍ବ ଭଳି ଦୁର୍ଘଟଣା ଘଟୁଛି, ଶତାଧିକ ମୃତ୍ୟୁ ହେଉଛି। ତେବେ ବାରମ୍ବାର କାହିଁକି ଲାଇନ୍‌ଚ୍ୟୁତ ହେଉଛି ଟ୍ରେନ? ସାଧାରଣ ଲୋକଙ୍କ ବୁଝିବା ବାହାରେ ଏ ପ୍ରଶ୍ନ।

ତ୍ରୁଟି ପାଇଁ ଜୀବନ ଯାଉଛି

ଦେଶରେ ବିଭିନ୍ନ ଟ୍ରେନରେ ଦିନକୁ ଅତି କମ୍‌ରେ ଅଢ଼େଇ କୋଟି ଲୋକ ଯାତ୍ରା କରନ୍ତି। ଏକ ଲକ୍ଷ କିଲୋମିଟରରୁ ଅଧିକ ଦୀର୍ଘ ଟ୍ରେନ୍ ଟ୍ରାକ୍ ଉପରେ ଦିନକୁ ୧୩ ହଜାର ଟ୍ରେନ୍ ଯାତାୟତ କରିଥାଏ। ୧୮୫୩ରୁ ଆରମ୍ଭ ହୋଇଥିବା ଭାରତୀୟ ରେଳର ବିକାଶ ପାଇଁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ନୂଆ ଟ୍ରାକ୍ ବିଛା ଯାଉଛି। ପୁରୁଣା ଟ୍ରାକ୍ ବଦଳାଯାଉଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ତଥାପି ତ୍ରୁଟି ଯୋଗୁଁ ଜୀବନ ଯାଉଛି।

ଟ୍ରେନ୍‌ର ବେଗ ବଢ଼ାଇବା ପାଇଁ ଚାହୁଁଛି ଭାରତୀୟ ରେଳ। କେତେକ ବର୍ଗର ଟ୍ରେନ୍‌କୁ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଦୌଡ଼ାଇବା ପାଇଁ ଯୋଜନା କରାଯାଉଛି। ଶହେ ତଳକୁ ଚାଲୁଥିବା ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ଶହେ କିମି କରିବା ପାଇଁ ବି ଚେଷ୍ଟା ଚାଲିଛି। ଠିକ୍‌ ଏହି ସମୟରେ ଟ୍ରାକ୍‌ରୁ ଟ୍ରେନ୍ ଡେଇଁଯିବା ରେଳବାଇର ଲକ୍ଷ୍ୟ ପୂରଣ କରିବାରେ ବାଧକ ସାଜିଛି।

ଯେତିକି ଦୁର୍ଘଟଣା ଘଟୁଛି ସବୁଠାରୁ ଅଧିକ ଦୁର୍ଘଟଣା ଟ୍ରେନ୍ ଟ୍ରାକ୍ ଡେଇଁଯିବା ଯୋଗୁଁ ଘଟୁଛି। ତେବେ ବାରମ୍ବାର ଟ୍ରେନ୍ କାହିଁକି ଲାଇନ୍‌ଚ୍ୟୁତ୍ ହେଉଛି? ରେଳବାଇ ବିଶେଷଜ୍ଞଙ୍କ କହିବା ଅନୁସାରେ ଟ୍ରେନ୍ ଟ୍ରାକ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ତ୍ରୁଟି ଥିଲେ, କୋଚ୍‌ରେ ତ୍ରୁଟି ଥିଲେ, ଡ୍ରାଇଭରର ତ୍ରୁଟି ଓ ସବୁଠାରୁ ବଡ଼ ହେଉଛି ସିଗ୍‌ନାଲ ତ୍ରୁଟି, ଯେଉଁ କାରଣରୁ ଟ୍ରେନ୍ ଟ୍ରାକ୍ ଡେଇଁଯାଏ।

ଟ୍ରେନ ଟ୍ରାକ ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ

ରେଳବାଇ ନିରାପତ୍ତା ବା ରେଲଓ୍ଵେ ସେଫ୍ଟି ରିପୋର୍ଟ ୨୦୧୯-୨୦ ଅନୁସାରେ ଲାଇନ୍‌ଚ୍ୟୁତ ହେବା ଯୋଗୁଁ ୬୮ ପ୍ରତିଶତ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହା ପରେ ଅଗ୍ନିକାଣ୍ଡ ଓ ଟ୍ରେନ୍-ଟ୍ରେନ୍ ଧକ୍କା ଯୋଗୁଁ ଲୋକେ ମୃତାହତ ହେଉଛନ୍ତି। ଚଳିତ ବର୍ଷ ୪୦ଟି ଲାଇନ୍‌ଚ୍ୟୁତ ଘଟଣା ରିପୋର୍ଟ ହୋଇଥିଲା। ସେଥିମଧ୍ୟରୁ ୩୩ଟି ଟ୍ରେନ୍ ଯାତ୍ରୀବାହୀ ଟ୍ରେନ୍ ଥିଲା। ଏହି ଦୁର୍ଘଟଣା ମଧ୍ୟରୁ ୨୦ ଲାଇନ୍‌ଚ୍ୟୁତ ଘଟଣା କେବଳ ଟ୍ରାକ୍‌ରେ ତ୍ରୁଟି ଯୋଗୁଁ ଘଟିଥିଲା। କେଉଁଠି ଟ୍ରାକ୍‌ରେ ଫାଟ ଥିଲା ତ ଆଉ କେଉଁଠି ଦୁର୍ବଳ ଟ୍ରାକ୍ ରହିଥିଲା।

ସବୁ ଟ୍ରେନ୍ ଟ୍ରାକ୍ ମେଟାଲ ତିଆରି। ଖରାଦିନେ ପ୍ରସାରଣ ଓ ଶୀତ ଦିନେ ସଙ୍କୁଚିତ ହୋଇଥାଏ ଟ୍ରେନ୍ ଟ୍ରାକ୍। ଏଥିପାଇଁ ସେଗୁଡ଼ିକର ନିୟମିତ ରକ୍ଷଣା ବେକ୍ଷଣ ଓ ମରାମତି ଆବଶ୍ୟକ ପଡ଼ିଥାଏ। ହୁଗୁଳା ହୋଇଥିବା ଟ୍ରାକ୍‌ଗୁଡ଼ିକୁ ଟାଇଟ୍ କରିବା, ସ୍ଲିପର ବଦଳାଇବା, ଲୁବ୍ରିକେଟିଂ କରିବା, ସ୍ଵିଚ ଆଡ୍‌ଜଷ୍ଟ କରିବା ଭଳି କାମ ନିୟମିତ ହେବା ଜରୁରୀ। ପାଦରେ ଚାଲିଚାଲି, ଟ୍ରଲି, ଟ୍ରାକ୍‌ରେ ଚାଲିବା ଭଳି ଇଞ୍ଜିନ ଚାଳିତ ଛୋଟ ଭେହିକିଲ୍ ଦ୍ଵାରା ଏସବୁର ଯାଞ୍ଚ ହେବା ଦରକାର। ଅତି କମରେ ୩ ମାସରେ ଥରେ ଯାଞ୍ଚ କରାଯିବା ଜରୁରୀ।

୨୦୧୭ ରିପୋର୍ଟ ଅନୁସାରେ ଏସବୁ ନିୟମିତ ହୋଇନାହିଁ। ୩୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ହୋଇ ନାହିଁ। ୧୮୦ରୁ ଅଧିକ ଲାଇନ୍‌ଚ୍ୟୁତ ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି। ଏହାର ଏକ ତୃତୀୟାଂଶ କୋଚ୍‌ ଓ ଓ୍ଵାଗନରେ ତ୍ରୁଟି କାରଣରୁ ହୋଇଛି। ଖରାପ ଡ୍ରାଇଭିଂ ଓ ଧାର୍ଯ୍ୟ ସୀମାଠାରୁ ଅଧିକ ବେଗରେ ଟ୍ରେନ୍ ଚଳାଇବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟିଛି।

ରେଲ ଚଳାଚଳରେ ବିକାଶ ପ୍ରକ୍ରିୟାରେ ଆଣ୍ଟି କୋଲାଇଜନ ଡିଭାଇସ୍ ବା କବଚ ସମ୍ପର୍କରେ ବହୁତ ଆଲୋଚନା ହେଉଛି। କିନ୍ତୁ ଏହାର ଫାଇଦା କେତେ ମିଳିଛି, ସେ ନେଇ କିଛି ବିସ୍ତୃତ ତଥ୍ୟ ନାହିଁ। ଦିଲ୍ଲୀରୁ କୋଲକାତା ଓ ଦିଲ୍ଲୀରୁ ମୁମ୍ବାଇ ରୁଟ୍‌ରେ ଏହାକୁ ସ୍ଥାପନ କରାଯାଇଛି। ଏହା ଯୋଗୁଁ କେତେ ଦୁର୍ଘଟଣାକୁ ରୋକା ଯାଇପାରିଛି ସେ ନେଇ ବିଶେଷ କିଛି ତଥ୍ୟ ନାହିଁ।

ଯଦି ଡ୍ରାଇଭରମାନଙ୍କ କଥା ଉଠେ ତେବେ ସେମାନେ ଅତ୍ୟଧିକ ସମୟ ଟ୍ରେନ୍ ଚଲାଉଛନ୍ତି କି? ସେମାନଙ୍କୁ ଆବଶ୍ୟକ ବିଶ୍ରାମ ମିଳୁଛି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ସେଥିପାଇଁ ରେଳବାଇ କର୍ତ୍ତୃପକ୍ଷ ଏହାର ବିଶ୍ଳେଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ବିଶେଷ କରି ଇଷ୍ଟକୋଷ୍ଟ ରେଲଓ୍ଵେ ଓ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ଵେର ଡ୍ରାଇଭରମାନଙ୍କ ସମ୍ପର୍କରେ ତୁରନ୍ତ ତଥ୍ୟ ଦେବାକୁ କୁହାଯାଇଛି।

Tags: #IndianRailway #TrainAccidentinIndia #BahanagaTragedy #TrackProblem

Comment