ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବଡ ମେଡିକାଲରେ ଭେଟିଛନ୍ତି। ଏହି ସମୟରେ ହସ୍ପିଟାଲରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଟ୍ରମା କେୟାର ସେଣ୍ଟର, ଆଶୁଚିକିତ୍ସା କେନ୍ଦ୍ର ଓ ଡାକ୍ତରଖାନାର ଆଉ କିଛି ୱାର୍ଡ ପରିଦର୍ଶନ କରିବା ସମୟରେ ଏସ୍‌ସିବିର ଭିତ୍ତିଭୂମି, ପରିମଳ ବ୍ୟବସ୍ଥା ଓ ରୋଗୀମାନଙ୍କ ପ୍ରତି ହେଉଥିବା ଅବହେଳାକୁ ନେଇ ସେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରୋଗୀମାନେ ଚଟାଣରେ ଶୋଚନୀୟ ଅବସ୍ଥାରେ ପଡ଼ିରହିବା, ଉପଯୁକ୍ତ ସେବା ନମିଳିବା, ବିପର୍ଯ୍ୟସ୍ତ ପାଇଖାନା ଓ ପରିମଳ ବ୍ୟବସ୍ଥାକୁ ଦେଖି ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସରକାରଙ୍କ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ ଆପତ୍ତି ଉଠାଇଥିଲେ।

ଗୋଟିଏ ୱାର୍ଡରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଗୋଟିଏ ପାଇଖାନା ଓ ପରିଶ୍ରାଗାର ରହିଛି। ରାଜ୍ୟର ଏହି ପ୍ରମୁଖ ଡାକ୍ତରଖାନାର ଅବସ୍ଥା ଯଦି ଏମିତି ରହିଛି, ତେବେ ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକର ସ୍ଥିତି କଣ ଥିବ ଏଥିରୁ ଅନୁମେୟ ବୋଲି ମନ୍ତ୍ରୀ କହିଥିଲେ।

୧୫ ଦିନ ମଧ୍ୟରେ ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ସେହିପରି ମନ୍ତ୍ରୀ ଏସ୍‌ସିବି ପରିଦର୍ଶନ ସମୟରେ ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ଲାଗି ମଧ୍ୟ ତାଙ୍କ ନିକଟରେ ପହଞ୍ଚିଥିଲେ। କାଳିଆକୁ ଭେଟି ତାର ସ୍ୱାସ୍ଥାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଜଗାକୁ ମନ୍ତ୍ରୀ ନିଜ କୋଳକୁ ନେଇ ତାକୁ କିଛି ସମୟ ବୁଲାଇଥିଲେ।

Comment