ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ବର୍ଷରେ ଓଡ଼ିଶାର ମୋବାଇଲ ଉପଭୋକ୍ତାଙ୍କ ଲାଗି ୫-ଜି ସେବା ଉପଲବ୍ଧ ହେବାକୁ ଯାଉଛି। ଆସନ୍ତା ୨୦୨୩ ଜାନୁଆରି ୨୬ ତାରିଖ ପୂର୍ବରୁ ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ ବୋଲି ଗୁରୁବାର ଦିନ ଭୁବନେଶ୍ଵର ରେଳ ଷ୍ଟେସନ ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ରେଳ ବିକାଶକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ପୂର୍ବରୁ ରେଳବାଇ ପାଇଁ ୮୦୦ କୋଟି ଟଙ୍କା ମିଳୁଥିବା ବର୍ତ୍ତମାନ ୧୦ ହଜାର କୋଟି ମିଳୁଛି। ଓଡ଼ିଶା ପ୍ରତି କେନ୍ଦ୍ର ସରକାର କେବେ ଅବହେଳା ପ୍ରଦର୍ଶନ କରିନାହାନ୍ତି। ଆଗକୁ ମଧ୍ୟ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ୩୬ଟି ରେଳ ଷ୍ଟେସନ ନବୀକରଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଭୁବନେଶ୍ଵର ଷ୍ଟେସନର ନବୀକରଣ ସହ ବିଶ୍ଵସ୍ତରୀୟ କରିବା ଲାଗି ରୂପ ରେଖ ପ୍ରସ୍ତୁତ କରାଯାଉଛି। ବିଶ୍ଵସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

Tags: #5GService #5GServiceinOdisha #UnionMinister #AshwiniVaishnaw

Comment