ଓଡ଼ିଶାଲାଇଭ୍ ବ୍ୟୁରୋ

  • ହରିଚନ୍ଦନପୁର, ବାଂଶପାଳ ଏବଂ ଝୁମ୍ପୁରା ବ୍ଲକ୍
  • ୩ ବ୍ଲକରେ ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇଛି ୨୨୪.୦୪ କିଲୋମିଟର ରାସ୍ତା
  • ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ

ରାସ୍ତା ହେଉଛି ସାଧାରଣ ଲୋକଙ୍କ ଜୀବନରେଖା। ଗ୍ରାମାଞ୍ଚଳଗୁଡ଼ିକୁ ବିକାଶର ମୁଖ୍ୟ ଧାରା ସହିତ ଯୋଡ଼ିବାରେ ଏହା ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମକୁ ସରକାର ପ୍ରାଥମିକତା ଦେଉଛନ୍ତି। ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାର ଅନେକ ଦୁର୍ଗମ ଗାଁକୁ ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ଆଜି ସୁଗମ କରିପାରିଛି।

ବଣ ପାହାଡ଼ଘେରା ଜିଲ୍ଲା କେନ୍ଦୁଝରରେ ଭୌଗୋଳିକ ପ୍ରତିବନ୍ଧକ ଥିବା ଅନେକ ଗାଁ ରହିଛି। ଏହିସବୁ ଗାଁକୁ ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ବା ଓମ୍ବାଡସି ପାଣ୍ଠି ସହାୟତାରେ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି।

“ଓମ୍ବାଡସି ପାଣ୍ଠି ସହାୟତାରେ କେନ୍ଦୁଝର ଜିଲ୍ଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁଁ ଆଜି ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନ ଧାରଣ ମାନରେ ବିଶେଷ ଉନ୍ନତି ଆଣିବାରେ ସହାୟକ ହୋଇଛି”, କହିଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ।

କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ବାଂଶପାଳ ଏବଂ ଝୁମ୍ପୁରା ବ୍ଲକରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଚାଲିଛି। ମୋଟ ୨୬୨.୩୨ କିଲୋମିଟର ଭିତରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କିଲୋମିଟରର ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି। ଫଳରେ ୩୪ଟି ଗ୍ରାମପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ବିଶେଷ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ବାଂଶପାଳ ବ୍ଲକର ନୟାକୋଟ ଗ୍ରାମପଞ୍ଚାୟତରେ ବିଭିନ୍ନ ନାଳ ଉପରେ ନିର୍ମାଣ କରାଯାଇଛି ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ। ଏହା ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଥିବାରୁ ୭ଟି ଗାଁର ୩,୮୦୦ରୁ ଅଧିକ ଲୋକଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆସିପାରିଛି।

“ଆଗରୁ ଆମ ଗାଁକୁ ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିଲା। ଏବେ ପାହାଡ଼ କାଟି ରାସ୍ତା ହୋଇଛି। ଫଳରେ ଆମେ ସୁବିଧାରେ ଡାକ୍ତରଖାନାକୁ ଯାଇ ପାରୁଛୁ। ଆମ ପିଲାମାନେ ସ୍କୁଲକୁ ଯାଇ ପାରୁଛନ୍ତି। ଗାଡ଼ି ମଟର ଚାଲିବା ଫଳରେ ଆମେ ସହରକୁ ମଧ୍ୟ ଯାଇ ପାରୁଛୁ”, କହନ୍ତି ବାଂଶପାଳ ବ୍ଲକ ଲୁଙ୍ଗାଝର ଗ୍ରାମର ବେଣୁଧର ଦନାଏକ।

“ଆମ ଗାଁକୁ ବିଭିନ୍ନ ନାଳ ଘେରି ରହିଛି। ବର୍ଷା ଦିନ ହେଲେ ଆମେ ଗାଁରୁ ବାହାରକୁ ଯାଇପାରୁ ନଥିଲୁ। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ଆମେ ସୁବିଧାରେ ସବୁଆଡ଼େ ଯାଇ ପାରୁଛୁ। ଯିବା ଆସିବାରେ ଆଉ ଆଗଭଳି ଅସୁବିଧା ହେଉନାହିଁ”, କହନ୍ତି ନୟାକୋଟ ଗ୍ରାମପଞ୍ଚାୟତର ଅଧିବାସୀ ସୁମତୀ ନାଏକ।

ଏହି ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଗାଁ ମୁଖ୍ୟ ବଜାର ବା ସହରାଞ୍ଚଳ ସହିତ ଯୋଡ଼ି ହୋଇପାରିଛି। ଫଳରେ ସ୍ଥାନୀୟ ଅଧିବାସୀ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ପାଇ ପାରୁଛନ୍ତି।

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ରାସ୍ତା ଏବଂ ସେତୁ ହେବା ଫଳରେ ସ୍ଥାନୀୟ ଲୋକଙ୍କ ଯିବାଆସିବା ସୁବିଧାଜନକ ହୋଇପାରିଛି। ସାଧାରଣ ପରିବହନ ବ୍ୟବସ୍ଥାରେ ଗାଁକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ଫଳରେ ପାଖ ବଜାର ସହ କମ୍ ସମୟ ଭିତରେ ସ୍ଥାନୀୟ ଚାଷୀ ଓ ବ୍ୟବସାୟୀ ସିଧାସଳଖ ଯୋଡ଼ି ହୋଇପାରୁଛନ୍ତି। ଏହି ସଂଯୋଗୀକରଣ କାର୍ଯ୍ୟକ୍ରମ ସେମାନଙ୍କ ଜୀବିକା ପାଇଁ ବ୍ୟାପକ ସୁଯୋଗ ଆଣିଦେଇଛି।

Tags: #Kendujhar #RoadConnectivity #OMBADC #RoadContruction

Comment